ଚୀନରେ କରୋନା ସୁନାମୀ; ୧୦ କୋଟିରୁ ଅଧିକ ଲୋକ ସଂକ୍ରମିତ, ସ୍ଥିତି ଆହୁରି ଭୟଙ୍କର ହେବ: ବିଶେଷଜ୍ଞ
26/12/2022 at 9:58 AM

ନୂଆଦିଲ୍ଲୀ: ଚୀନରେ କରୋନାର ସୁନାମୀ । କୋଭିଡ୍ ଯୋଗୁ ଦେଶରେ ହା ହା କାର । ପ୍ରତିଦିନ ବଢୁଛି ଲକ୍ଷ ଲକ୍ଷ ସଂକ୍ରମିତଙ୍କ ସଂଖ୍ୟା । ବେଜିଂ ଠାରୁ ସାଂଘାଇ ସବୁ ଅଞ୍ଚଳକୁ କୋଭିଡ-୧୯ ଭୂତାଣୁ ନିଜ କବଜାକୁ ନେଇଛି । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୫ ତାରିଖରୁ ୨୫ ତାରିଖ ମଧ୍ୟରେ ୧୦କୋଟି ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ପ୍ରାୟ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହେଲେ ଚୀନ୍ ସରକାର ଏହି ତଥ୍ୟକୁ ଲୁଚାଉଛନ୍ତି ।
ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲ ଡାକ୍ତର ନୀରଜ କୁମାର ଗୁପ୍ତାଙ୍କ ମତ କହିଛନ୍ତି, ଚୀନରେ କରୋନା ସ୍ଥିତି ଆହୁରି ଭୟଙ୍କର ହେବ । ଆଗାମୀ ଦିନରେ ଚୀନରେ ୧୦କୋଟି ଲୋକ ସଂକ୍ରମିତ ହେବେ ଏବଂ ୫ଲକ୍ଷ ଲୋକ ହସ୍ପିଟାଲରେ ଭର୍ତ୍ତି ହେବେ । ସେହିପରି ୧୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । କରୋନାର ଦ୍ବିତୀୟ ଲହରରେ ଭାରତରେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ସେହିପରି ସ୍ଥିତି ଏବେ ଚୀନରେ ଦେଖିବାକୁ ମିଳୁଛି । ଦ୍ବିତୀୟ ଥର ପାଇଁ ଚୀନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଚୀନରେ ଅଧିକ ସମୟ ଲକଡାଉନ ଯୋଗୁ ଲୋକଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଇଛି । ଯାହାର ପ୍ରଭାବ ଏବେ ଲୋକଙ୍କ ମଧ୍ୟରେ ପଡୁଛି । ଫଳରେ ଓମିକ୍ରନର ନୂଆ ଭାରିଆଣ୍ଟ BF.7 ଭୟଙ୍କର ରୂପ ଧାରଣ କରୁଛି ।
ସେପଟେ ଚୀନ ସରକାର କରୋନା ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି । ଚୀନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ଦୈନିକ କୋଭିଡ୍ ଡାଟା ପ୍ରକାଶ କରିବା ବନ୍ଦ କରିଛି । ଏନଏଚସି ଏକ ବୟାନରେ କୋଭିଡ୍-୧୯କୁ ନେଇ କୌଣସି ତଥ୍ୟ ପ୍ରକାଶ କରିବ ନାହିଁ ବୋଲି କହିଛି । ଏନଏଚଆଇର ଲିକ୍ ହୋଇଥିବା ଡାଟା ଅନୁଯାୟୀ, ଦେଶରେ ଗତ ୨୦ ଦିନ ମଧ୍ୟରେ ୨୫କୋଟି ଲୋକଙ୍କ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହା ଚୀନରେ ମୋଟ ଜନସଂଖ୍ୟାର ୧୮ ପ୍ରତିଶତ । ସ୍ବାସ୍ଥ୍ୟ ବିଭାଗର କହିବା ମୁତାବକ ଚୀନରେ ଚଳିତ ସପ୍ତାହରେ କରୋନା ଚରମ ସ୍ତରରେ ପହଞ୍ଚିବ । ଗୋଟିଏ ଦିନରେ ପ୍ରାୟରେ ୩୫ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ।