ଚୀନରେ ୨୫ କୋଟି ଲୋକ କରୋନା ସଂକ୍ରମିତ, ଲିକ୍ ସରକାରୀ ଦସ୍ତାବିଜରୁ ଖୁଲାସା

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁ ତାଣ୍ଡବ ରଚିବାରେ ଲାଗିଛି । ରେଡିଓ ଫ୍ରି ଏସିଆ ଏକ ଲିକ୍ ଦସ୍ତାବିଜକୁ ଆଧାର କରି କହିଛି ଯେ ଜିରୋ କୋଭିଡ ପଲିସି କୋହଳ ହେବାର ମାତ୍ର ୨୦ ଦିନରେ ଚୀନରେ ୨୫ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ୨୦ ମିନିଟ୍ ବୈଠକର ଲିକ୍ ଦସ୍ତାବିଜ ଅନୁସାରେ ଡିସେମ୍ୱର ୨୦ ମଧ୍ୟରେ ୨୪.୮ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିଲେ, ଯାହା ଚୀନର ମୋଟ ଜନସଂଖ୍ୟାର ୧୭.୬୫ ପ୍ରତିଶତ । 

ରେଡିଓ ଫ୍ରି ଏସିଆ ଅନୁସାରେ, ଡିସେମ୍ୱର ୨୦ରେ ସରକାରୀ ଅଧିକାରୀଙ୍କ ଦ୍ୱାରା ଜାରି ଡାଟାଠାରୁ ଏହି ସଂଖ୍ୟା ପ୍ରକୃତରେ ବହୁ ବଡ଼ । ଜଣେ ବରିଷ୍ଠ ଚୀନ ସାମ୍ୱାଦିକ ରେଡିଓ ଫ୍ରି ଏସିଆକୁ କହିଛନ୍ତି ଯେ ଦସ୍ତାବିଜକୁ ବୈଠକରେ ସାମିଲ କୌଣସି ଜଣେ ଅଧିକାରୀ ଏହାକୁ ଜାଣିଶୁଣି ଲିକ୍ କରିଥିଲେ । ଅଧିକାରୀ ଜଣଙ୍କ ସାର୍ବଜନୀନ ହିତ ପାଇଁ କରୁଥିବା ସେ କହିଥିଲେ । ଏବେ ନୂଆ ସଂଖ୍ୟା ସାମନାକୁ ଆସିବା ପରେ ଚୀନରେ ହଇଚଇ ସୃଷ୍ଟି ହୋଇଛି । ଦେଶରେ ପୁଣି ଥରେ କଠୋର କଟକଣା ଲାଗୁ କରାଯାଇପାରେ ।

ଏହା ପୂର୍ବରୁ ଶନିବାର ଚୀନ ଅଧିକାରୀଙ୍କ ପକ୍ଷରୁ ଜାରି ଡାଟା ଅନୁସାରେ ୩,୭୬୧ ମାମଲା ଚିହ୍ନଟ ହୋଇଥିଲା ଏବଂ କୌଣସି ମୃତ୍ୟୁ ହୋଇ ନଥିଲା । ଚୀନର ଏହି ଡାଟା ଏପରି ସମୟରେ ଆସିଛି, ଯେତେବେଳେ ବ୍ରିଟିଶ ସ୍ଥିତ ସ୍ୱାସ୍ଥ୍ୟ ଡାଟା ଫାର୍ମ ଏୟରଫିନିଟୀ ଦାବି କରୁଛି ଯେ ଚୀନରେ ପ୍ରତିଦିନ ୫,୦୦୦ରୁ ଅଧିକ ମୃତ୍ୟୁ ସହ ସଂକ୍ରମିତ ସଂଖ୍ୟା ଗୋଟିଏ ଦିନରେ ଦଶ ଲକ୍ଷରୁ ଅଧିକ ରହିବାର ସମ୍ଭାବନା ରହିଛି । ଏୟରଫିନିଟୀର ନୂଆ ମଡେଲରେ ଚୀନରେ ଆଞ୍ଚଳିକ ଡାଟାର ଯାଞ୍ଚ କରିଥିଲେ ।

ଏୟରଫିନିଟୀ ମଡେଲ ଅନୁସାରେ ୨୦୨୩ ଜାନୁଆରୀରେ ସଂକ୍ରମଣ ହାର ଚରମରେ ପହଞ୍ଚି ୩.୭ ମିଲିୟନ ଏବଂ ମାର୍ଚ୍ଚ ୨୦୨୩ରେ ଏହା ଗୋଟିଏ ଦିନରେ ୪.୨ ମିଲିୟନ ଡଲାର ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.