ତିକ୍ତତା ପରେ ସଂପର୍କ ଯୋଡିବାକୁ ପ୍ରୟାସ, ୩ ଦଶନ୍ଧି ପରେ ପ୍ରଥମ ଥର ଭାରତଠୁ ଚାଉଳ ଆମଦାନୀ କଲା ଚୀନ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: ଗତ ତିନି ଦଶନ୍ଧିରେ ପ୍ରଥମ ଥର ଚୀନ ଭାରତରୁ ଚାଉଳ ଆମଦାନୀ କରିବା ଆରମ୍ଭ କରିଛି। ଏହାର କାରଣ ନିଜର ଯୋଗାଣ ସୀମିତ ହୋଇଯିବା ଏବଂ ଭାରତ ଚାଉଳ ଦାମରେ ମୂଲ୍ୟହ୍ରାସ କରିବାରୁ ଏହା ଚୀନକୁ ବେଶ୍ ସୁହାଇବା ପରି ହୋଇଛି। ତେଣୁ ଚୀନ ଏବେ ଭାରତଠୁ ଚାଉଳ ଆମଦାନୀ କରିବା ଆରମ୍ଭ କରିଛି। ଭାରତ ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଅଧିକ ଆମଦାନୀ ଶୁଳ୍କ ଲଗାଇଛି।

ଚାଉଳରେ ଦୁନିଆରେ ଭାରତ  ହେଉଛି ସବୁଠୁ ବଡ ରପ୍ତାନୀକାରୀ ଦେଶ ଏବଂ ଚୀନ ହେଉଛି ସବୁଠୁ ବଡ ଆମଦାନୀକାରୀ ଦେଶ। ବେଜିଂ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟନ୍ ଚାଉଳ ଆମଦାନୀ କରିଥାଏ। କିନ୍ତୁ ଗୁଣବତ୍ତାର ଦ୍ଵାହି ଦେଇ ଚୀନ ଭାରତଠୁ ଚାଉଳ ଆମଦାନୀ କରିବାକୁ ପଛଘୁଞ୍ଚା ଦେଇ ଆସୁଥିଲା।

ଏହି ସଫଳତା ଏମିତି ସମୟରେ ଆସିଛି ଯେବେ, ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି। ଚାଉଳ ରପ୍ତାନୀକାରୀ ଆସୋସିଏସନର ସଭାପତି ବି ଭି କୃଷ୍ଣ ରାଓ କହିଛନ୍ତି, ପ୍ରଥମ ଥର ଚୀନ ଭାରତଠୁ ଚାଉଳ କିଣିଛି। ଭାରତର ସଫଳ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଚୀନ ଚାଉନ ଆମଦାନୀ ଆହୁରି ବୃଦ୍ଧି କରିପାରେ।

ଶିଳ୍ପ ଅଧିକାରୀମାନେ କହିଛନ୍ତି ଯେ, ଡିସେମ୍ବର-ଫେବୃଆରୀରେ ପରିବହନ ପାଇଁ ୧୦୦୦୦୦ ଟନ୍ ଭଙ୍ଗା ଚାଉଳ ଟନ୍ ପିଛା ପ୍ରାୟ ୩୦୦ଡଲାରରେ ରପ୍ତାନି କରିବାକୁ ଭାରତୀୟ ବ୍ୟବସାୟୀମାନେ ଚୁକ୍ତି କରିଛନ୍ତି। ଭାରତୀୟ ଚାଉଳ ବ୍ୟବସାୟୀଙ୍କ ଅନୁଯାୟୀ, ଚୀନ ସାଧାରଣତଃ ଥାଇଲାଣ୍ଡ, ଭିଏତନାମ, ମିଆଁମାର ଓ ପାକିସ୍ତାନରୁ ଚାଉଳ ଆମଦାନୀ କରିଥାଏ। ଏହି ସବୁ ଦେଶଗୁଡିକରୁ ଚୀନ ଭାରତୀୟ ମୂଲ୍ୟ ତୂଳନାରେ ଟନ୍ ପିଛା ୩୦ ଡଲାର ଅଧିକ ଦେଇ ଚାଉଳ ଅମାଦାନୀ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.