ବିଶ୍ୱର ବିଭିନ୍ନ ମହାଦ୍ୱୀପରେ ବନ୍ଦର ନେଟୱାର୍କ ସୁଦୃଢ଼ କରୁଛି ଚୀନ, ପରେ ଏହାକୁ ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ: ରିପୋର୍ଟ
18/11/2023 at 11:19 PM

ନୂଆଦିଲ୍ଲୀ: ଚୀନ ନିଜର ଆର୍ଥିକ ଶକ୍ତି ବଢ଼ାଇବା ଓ ଲାଗତର ବଢ଼ୁଥିବା ନିଜର ନୌସେନାର ଉପସ୍ଥିତି ବ୍ୟାପକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ୱ ବାଣିଜ୍ୟିକ ବନ୍ଦରର ଏକ ବିସ୍ତୃତ ନେଟୱାର୍କ ତିଆରି କରିଛି। ବିଭିନ୍ନ ଛୋଟ ଦେଶରେ ଋଣ ଜାଲରେ ଫସାଇ ଦେଶଗୁଡ଼ିକର ବନ୍ଦରଗୁଡ଼ିକ କବ୍ଜା କରି ଚୀନ ନିଜର ସ୍ୱାର୍ଥନ ସାଧନରେ ଟାର୍ଗେଟ୍ ରହିଛି।
ବୈଦେଶିକ ସମ୍ପର୍କ ପରିଷଦ(ସିଏଫ୍ଆର୍) ଥିଙ୍କ ଟ୍ୟାଙ୍କ ଏ ବିଷୟରେ ଗବେଷଣା କରି ରିପୋର୍ଟ ଜାରି କରିଛି। ଏହି ଥିଙ୍କ ଟ୍ୟାଙ୍କ ବିଦେଶରେ ଥିବା ଚୀନ ବନ୍ଦରଗୁଡ଼ିକର ଗଭୀର ଅଧ୍ୟୟନ କରିଛି। ପରବର୍ତ୍ତି ସମୟରେ ଏହି ବନ୍ଦରଗୁଡିକ ମଧ୍ୟରୁ ଚୀନ କିଛିକୁ ନୌସେନା ବେସ୍ ଭାବରେ ପରିବର୍ତ୍ତନ କରିଦେଇପାରେ ବୋଲି ଏହି ସଂସ୍ଥା ରିପୋର୍ରେ କହିଛି।
ଏଥିରେ କୁହାଯାଇଛି ଯେ ଆଣ୍ଟାର୍କଟିକା ବ୍ୟତୀତ ପୃଥିବୀର ପ୍ରତ୍ୟେକ ମହାଦ୍ୱୀପରେ ଅତି କମରେ ଗୋଟିଏ ବନ୍ଦରରେ ଚୀନ ନିଜର କାର୍ଯ୍ୟ କରୁଛି କିମ୍ବା ମାଲିକାନା ରଖିଛି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଚୀନ ୧୦୧ ପୋର୍ଟ ପ୍ରୋଜେକ୍ଟରେ ନିଜର ହସ୍ତକ୍ଷେପ ରଖିଛି। ସେଥିମଧ୍ୟରୁ ୯୨ କାର୍ଯ୍ୟକ୍ଷମ ରହିଥିବା ବଳେ ୯ଟି ରଦ୍ଦ ଓ ନିଲମ୍ବନ ଆଦି କାରଣରୁ ନିଷ୍କ୍ରିୟ ହୋଇ ରହିଛି।
ପଢ଼ନ୍ତୁ-ଅନ୍ତର୍ଜାତୀୟ ବଜାରରେ ୪ ମାସର ସର୍ବନିମ୍ନ ସ୍ତରକୁ ଖସିଲା ଅଶୋଧିତ ତୈଳ ଦର, ଜାଣନ୍ତୁ କେତେ?
ଚୀନ ୨୦୧୩ରେ ନିଜର ମହତ୍ୱକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଲଞ୍ଚ୍ କରିବା ପରେ ବିଭିନ୍ନ ମହାଦ୍ୱୀପ ଓ ଛୋଟ ଦେଶଗୁଡ଼ିକରେ ବନ୍ଦର ଅକ୍ତିଆର ପ୍ରକ୍ରିୟା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଚୀନ ୬୬ ଦେଶ ଓ ଦ୍ୱୀପଦେଶ ସହ ୭୦ ଦ୍ୱିପାଖିକ ଓ ଆଞ୍ଚଳିକ ସିପିଂ ଏଗ୍ରୀମେଣ୍ଟ ସାଇନ୍ କରି ସାରିଛି। ଏଥିସହିତ ଚୀନ ବିଶ୍ୱର ସବୁ ଗୁରୁତ୍ୱପୂ୍ଣ୍ଣ ଅଞ୍ଚଳକୁ କଭର କରିସାରିଛି।
ତେବେ ଚିନ୍ତାର ବିଷୟ ହେଲା ଚୀନ ଆମେରିକା ଠାରୁ ନୌସେନାର ଅଧିକ ଶକ୍ତିଶାଳୀ ହେବାକୁ ଚାହୁଁଛି। ତେଣୁ ବନ୍ଦରଗୁଡ଼କର ସୁରକ୍ଷା ବାହାନାରେ ସାମରିକ ଉପସ୍ଥିତି ମଧ୍ୟ ବଢ଼ାଉଛି। ତେଣୁ କିଛି ବନ୍ଦରକୁ ଚୀନ ଭବିଷ୍ୟତରେ ନିଜର ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ ବୋଲି ରିପୋର୍ଟରେ କୁହାଯାଇଛି।