ଚୀନ୍ରେ ଅଣାୟତ୍ତ କରୋନା : ମୃତ୍ୟୁ ସଂଖ୍ୟା ୨୨୩୯, ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
22/02/2020 at 10:04 AM

ବେଜିଂ ୨୨।୦୨: କରୋନା ଭାଇରସ୍ ଯୋଗୁ ଚୀନ୍ ରେ ଏବେ ମୃତ୍ୟୁସଂଖ୍ୟା ୨ ହଜାର୨୩୯ରେ ପହଞ୍ଚିଛି । ୭୬ ହଜାରରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ଚୀନ୍ ରୁ ପୁଣି ୮୮୯ଟି ନୂଆ ମାମଲା ସ୍ପଷ୍ଟ କରାଯାଇଛି। ଏହା ପୂର୍ବଦିନର ସଂଖ୍ୟା ଅପେକ୍ଷା ଯଥେଷ୍ଟ ଅଧିକ ରହିଛି । ଉହାନ୍ ପରେ ଏବେ ଚୀନ୍ ରାଜଧାନୀ ବେଜିଂରେ ବି ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ବେଜିଂରେ ସମୁଦାୟ ୩୯୬ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୪ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବେଜିଂରେ କେତେକ କଟକଣା ଲାଗୁ ହୋଇଛି। ସପିଂ ମଲ୍ ଗୁଡ଼ିକ ଆଂଶିକ ଭାବେ ବନ୍ଦ କରାଯାଉଛି। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କ ଶରୀରର ତାପମାତ୍ରା ମପାଯାଉଛି ଏବଂ ବେଜିଂରେ ବି କିଛି ସ୍ଥାନରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି।

ଚୀନ୍ ରେ ଜେଲ୍ ମାନଙ୍କରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହୁୱେଇ ପ୍ରଦେଶରେ ପ୍ରାୟ ୫୦୦ରୁ ଅଧିକ ଜଣ କଏଦୀ ଏବଂ ପୁଲିସ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ହୁୱେଇରେ ଗୋଟିଏ ଦିନରେ ୬୩୧ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଇରାନ୍ ରେ ପୁଣି ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩ଟି ନୂଆ ମାମଲା ସ୍ପଷ୍ଟ ହୋଇଛି ।