ଚୀନ ସେନାର ଯେଉଁ ଅଧିକାରୀଙ୍କ ଉପରେ ଆମେରିକା ଲଗାଇଛି ବ୍ୟାନ୍, ବେଜିଂ ତାଙ୍କୁ ନିଯୁକ୍ତ କଲା ରକ୍ଷା ମନ୍ତ୍ରୀ
12/03/2023 at 6:24 PM

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତାର ସର୍ବୋଚ୍ଚ ଆସନରେ ବସିଛନ୍ତି । ଏବେ ଚୀନର କମ୍ୟୁନିଷ୍ଟ ପାର୍ଟି ଜିନପିଙ୍ଗଙ୍କ ଦ୍ୱାରା ପ୍ରସ୍ତାବିତ ନାମ ଗୁଡିକୁ ସରକାରରେ ଭିନ୍ନ ଭିନ୍ନ ପଦରେ ବସାଇଛି । ଲି କିୟାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ କମ୍ୟୁନିଷ୍ଟ ପାର୍ଟି ନିଜ ଦଳର କଂଗ୍ରେସରେ ଜେନେରାଲ ଥିବା ସି ଶାଙ୍ଗଫୁଙ୍କୁ ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଛନ୍ତି । ୬୫ ବର୍ଷୀୟ ଶାଙ୍ଗଫୁ ଖୁବଶୀଘ୍ର ୱେଇ ଫେଙ୍ଗଙ୍କ ସ୍ଥାନରେ ଦାୟିତ୍ୱରେ ଗ୍ରହଣ କରିବେ ।
ଲି ଶାଙ୍ଗଫୁ ଚୀନ କମ୍ୟୁନିଷ୍ଟ ପାର୍ଟିର ଜଣେ ଚର୍ଚ୍ଚିତ ଚେହେରା । ୨୦୧୫ ମସିହାରେ ତାଙ୍କୁ ସେନାର ଷ୍ଟ୍ରାଟେଜିକ୍ ସପୋର୍ଟ ଶାଖାର ସଦସ୍ୟ କରାଯାଇଥିଲା । ଏହି ଶାଖାକୁ ସ୍ପେସ୍, ସାଇବର, ପ୍ରଯୁକ୍ତି, ରାଜନୈତିକ ଏବଂ ଇଲେକ୍ଟ୍ରୋନିକ୍ ୱାରଫେୟାର କ୍ଷେତ୍ରରେ ଚୀନକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ।
ଶାଙ୍ଗଫୁଙ୍କ ରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ଅଧିକ ବଢାଇବ । ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ଶାଙ୍ଗଫୁଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା । ୱାଶିଂଟନ କହିଥିଲା ଯେ ଶାଙ୍ଗଫୁ ଚୀନ ପାଇଁ ରୁଷ ଠାରୁ ସୁଖୋଇ ୩୫ କମ୍ୱାଟ ଏୟାରକ୍ରାଫ୍ଟ ଏବଂ ଏସ-୪୦୦ ମିଶାଇଲ ପ୍ରତିରକ୍ଷା ପ୍ରଣାଳୀ ପାଇଁ କିଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।