ଭାରତକୁ ଚେକ୍ ଦେବା ପାଇଁ ଡ୍ରାଗନର ଚାଲ, ସୀମାରେ ମୁତୟନ କଲା ନୂଆ କମାଣ୍ଡର
10/09/2021 at 6:34 PM

ନୂଆଦିଲ୍ଲୀ, ୧୦/୦୯: ଭାରତ ସଂଲଗ୍ନ ସୀମା ଉପରେ ନଜର ରଖିବା ଲାଗି ଚିନ୍ ରାଷ୍ଟ୍ରପତି ସି. ଜିନ୍ ପିଙ୍ଗ୍ ଜଣେ ନୂଆ କମାଣ୍ଡରଙ୍କୁ ନିଯୁକ୍ତ କରିଥିବା ଜଣାପଡ଼ିଛି । ୱାଙ୍ଗ ହେଇଜିଆଙ୍ଗ ନାମକ ଏହି କମାଣ୍ଡରକୁ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ୍ର ନୂଆ କମାଣ୍ଡର ଭାବେ ଦ୍ୱାୟିତ୍ୱ ଦିଆଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଚିନ୍ କମ୍ୟୁନିଷ୍ଟ ପାର୍ଟି ଓ କେନ୍ଦ୍ରୀୟ ମିଲିଟାରି କମିଶନ୍ ବୈଠକରେ ୱାଙ୍ଗଙ୍କ ସହିତ ଅନ୍ୟ ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ଜେନେରାଲ୍ ରାଙ୍କ୍କୁ ଡ୍ରାଗନ୍ ସେନା ପଦୋନ୍ନତି ଦେଇଛି।
ପି.ଏଲ.ଏ.(ପିପୁଲ୍ ଲିବେରେସନ୍ ଆର୍ମି) କେନ୍ଦ୍ରୀୟ ଥିଏଟର କମାଣ୍ଡ୍ର ଲିନ୍ ଜିଆନ୍ ଜାଙ୍ଗ୍, ପି.ଏଲ.ଏ ନେବି ଡଙ୍ଗ୍ ଜୁନ୍ର କମାଣ୍ଡର୍, ପି.ଏଲ.ଏ ବାୟୁସେନା କମାଣ୍ଡର ଚାଙ୍ଗ ଡିଙ୍ଗ୍ କ୍ୟୁ ଓ ପି.ଏଲ.ଏ ରାଷ୍ଟ୍ରୀୟ ସୁରକ୍ଷା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜୁ ସୁକିୟାଙ୍ଗ୍ ଏହି ପଦୋନ୍ନତିରେ ସାମିଲ୍ ଅଛନ୍ତି । ପି.ଏଲ.ଏ.ରେ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ଜେନେରାଲ୍ ପଦବିକୁ ସର୍ବୋଚ୍ଚ ରାଙ୍କ୍ ଭାବେ ବିବେଚନା କରାଯାଏ । କେନ୍ଦ୍ରୀୟ ମିଲିଟାରୀ କମିଶନ୍ ଅଧୀନରେ ପି.ଏଲ.ଏ କାର୍ଯ୍ୟ କରୁଛି। ଗଲ୍ୱାନ୍ ଘାଟିରେ ଭାରତ-ଚୀନ୍ ସେନା ସଂଘର୍ଷ ପରେ ଜେନେରାଲ୍ ୱାଙ୍ଗ୍ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ୍ର ନେତୃତ୍ୱ ନେବେ ।
ଜେନେରାଲ୍ ୱାଙ୍ଗ୍ ଚତୁର୍ଥ କମାଣ୍ଡର ଭାବେ ୱେଷ୍ଟର୍ଣ୍ଣ ଥିଏଟରର ଦ୍ୱାୟିତ୍ୱ ନେବେ ବୋଲି ଚୀନ୍ ଗଣମାଧ୍ୟମ ପ୍ରକାଶ କରିଛି ।