ଚୀନ୍ର ନୂଆ ଚାଲ୍ ! ପାକିସ୍ତାନକୁ ପୁଣି ଥରେ ବଢାଇଲା ସହଯୋଗର ହାତ
26/02/2023 at 3:00 PM

ନୂଆଦିଲ୍ଲୀ ୨୬।୦୨ : ପାକିସ୍ତାନକୁ ସାହାଯ୍ୟ କରିଛି ଚୀନ୍। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣି ଥରେ ସହଯୋଗର ହାତ ବଢାଇଛି ଡ୍ରାଗନ । ପାକିସ୍ତାନକୁ ୭୦କୋଟି ଡଲାର ଋଣ ଚୀନ ଦେଇଛି । ଚୀନ ଡେଭଲପମେଣ୍ଟ ବ୍ୟାଙ୍କ ପାକିସ୍ତାନକୁ ଏହି ଋଣ ରାଶି ପ୍ରଦାନ କରିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡାର ଟୁଇଟ କରି ଏନେଇ ସୂଚନା ଦେବା ସହ ଏହି ଋଣ ପାକିସ୍ତାନ ପାଇଁ ଲାଇଫ ଲାଇନ ବୋଲି କହିଛନ୍ତି।
ତେବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହା ଦ୍ୱାରା କିଛି ଦିନ ଆଶ୍ୱସ୍ତି ମିଳିପାରେ। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା । ଚୀନ ଜାଣିଶୁଣି ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଋଣ ଦେଇ ଏକ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକା କହିଛି। ଏହା ଦ୍ୱାରା ଭାରତ ବିରୋଧରେ ଏମାନଙ୍କୁ ଛିଡା କରିବା ଉଦ୍ଦେଶ୍ୟ ହୋଇପାରେ କିମ୍ବା ଦୁଇ ଦେଶ ଉପରେ ନିଜର ଦବଦବା ଜାହିର କରିବାକୁ ଯୋଜନା ହୋଇଥାଇପାରେ।
ଋଣ ବୋଝରେ ବୁଡି ରହିଥିବା ପାକିସ୍ତାନକୁ ସବୁଠୁ ଅଧିକ ଋଣ ଦେଇଛି ଚୀନ। ତଥ୍ୟ ଅନୁସାରେ ପାକିସ୍ତାନ ମୋଟ ଋଣର ୪୦ ପ୍ରତିଶତ କେବଳ ଚୀନଠୁ ନେଇଛି। ବେଶ କିଛି ଦିନ ହେବ ପାକିସ୍ତାନର ଅର୍ଥ ବ୍ୟବସ୍ଥା ବୁଡିବା ସହ ଦେଶରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ଦୁଇ ଓଳା ପାଇଁ ଖାଦ୍ଯ ବି ଏଠି କାଠିକାର ପାଠ ହେଲାଣି। ଦେଶର ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଲାଣି ।