ଚୀନ୍ ଲେଖିକାଙ୍କୁ ‘ଲକଡାଉନ୍’ ଅନୁଭୂତି ଲେଖିବା ପଡିଲା ମହଙ୍ଗା, ସୋସିଆଲ ମିଡିଆରେ କୁହାଯାଉଛି ଦେଶଦ୍ରୋହୀ

Published By : Prameya-News7 Bureau | November 27, 2020 IST

ଉହାନ୨୭।୧୧:  ଚୀନ୍‌ ଉହାନ ସହରରେ ପ୍ରଥମେ କରୋନାଭାଇରସ ବ୍ୟାପିଥିଲା। ଜାନୁୟାରୀ ମାସ ବେଳକୁ ପରିସ୍ଥିତି ଉଦବେଗଜନକ ହୋଇପଡିବାରୁ ସରକାର ବାଧ୍ୟ ହୋଇ ଲକଡାଉନ୍‌ ଘୋଷଣା କରିଥିଲେ। ୧ କୋଟି ୧୦ ଲୋକେ ବସବାସ କରୁଥିବା ସହର ଶ୍ମଶାନ ଭଳି ପ୍ରତୀତ ହୋଇଥିଲା। ଏଥିରେ ନିଜ ପୋଷା କୁକୁର ସହ ଏକାକୀ ଜୀବନ ବିତାଉଥିବା ଲେଖିକା ୱାଙ୍ଗଫାଙ୍ଗ ନିଜ ମସ୍ତିଷ୍କକୁ ସକ୍ରିୟ ରଖିବା ଲାଗି ୱିବୋ ଆକାଉଣ୍ଟରେ ଦୈନନ୍ଦିନି ( ଡେଲି ଡାୟେରୀ) ଲେଖିବା ଆରମ୍ଭ କରିଥିଲେ।

ୱାଙ୍ଗଫାଙ୍ଗଙ୍କ ଡାୟେରୀ ଲୋକଙ୍କ ମଧ୍ୟରେ ସାହାସ ସୃଷ୍ଟି କରିଥିଲା। ଏହା ଛଡା ଲେଖିକା ଦୈନିକ ନିଜ ଆଖି ସାମ୍ନାରେ ଦେଖୁଥିବା ଘଟଣାବଳୀ ଓ ଏଥିରୁ ହେଉଥିବା ତାଙ୍କ ଅନୁଭବ ମଧ୍ୟ ବଖାଣୁଥିଲେ। ପ୍ରଥମ ପ୍ରଥମ ତାଙ୍କର ଡାୟେରୀକୁ ବେଶ ସମର୍ଥନ ମିଳିଥିଲା। ଲୋକେ ତାଙ୍କ ଅନୁଭୂତି ପଢି ସହାନୁଭୂତି ପ୍ରଦର୍ଶନ କରୁଥିଲେ। ତେବେ ପରିସ୍ଥିତି ବଦଳିବା ସହ ଲକଡାଉନ୍‌ ହଟିବା ପରେ ପ୍ରଶାସନର ନଜର ତାଙ୍କ ଡାୟେରୀ ଉପରେ ପଡିଥିଲା।

ପ୍ରଶାସନ ତାଙ୍କ ଲେଖା କୌଣସି ଗଣମାଧ୍ୟମରେ ପ୍ରକାଶନ ନ କରିବାକୁ ସମସ୍ତ ପ୍ରକାଶକଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଫଳରେ ତାଙ୍କ ନୂଆ ଲେଖା ତ ପ୍ରକାଶିତ ହେଲାନି ପୂରୁଣା ଲେଖାକୁ ମଧ୍ୟ କେହି ପ୍ରକାଶନ କଲେନି। ଏପରିକି ଛପା ହେଉଥିବା ତାଙ୍କ ବହିର ଛପା ମଧ୍ୟ ପ୍ରକାଶକ ବନ୍ଦ କରିଦେଇଛନ୍ତି। କେବଳ କଟକଣାରେ ଅଟକି ଯାଇନି ତାଙ୍କ ଜୀବନ। ପରେ ତାଙ୍କୁ ବିଭିନ୍ନ ମାଧ୍ୟମରେ ଧମକ ମିଳିବାରେ ଲାଗିଲା। ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ତାଙ୍କୁ ଧମକ ଦିଆଯାଉଥିବା ସେ ନିକଟରେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି।

ଫାଙ୍ଗଙ୍କୁ ତାଙ୍କ ଲେଖା ଲାଗି ଅତୀତରେ ଅନେକ ସମ୍ମାନ ମିଳିଛି। ହେଲେ ଲକଡାଉନ୍‌ ଅନୁଭୂତି ଲେଖି ସେ ଏବେ ଦେଶରେ ବିବାଦୀୟ ହୋଇପଡିଛନ୍ତି। ଡାୟେରୀରେ ଦୁନିଆରୁ ଅଲଗା ହୋଇ ରହିବାର ଅନୁଭବ କିପରି, ଆଖି ସାମ୍ନାରେ ଲୋକଙ୍କୁ ମରିବାର ଦେଖିଲେ କିପରି ଅନୁଭବ ହୁଏ ଆଦି ସେ ଦୈନିକ ଲେଖୁଥିଲେ। ସେତେବେଳେ ଏପରି କରିବା ମଧ୍ୟ ଜରୁରି ଥିଲା। ଏହା ଦ୍ୱାରା ନିଜନିଜ ମଧ୍ୟରେ ଭାବର ଆଦାନପ୍ରଦାନ  ସାଙ୍ଗକୁ  ଫାଙ୍ଗ ପରାମର୍ଶ ଦିଆନିଆ ମଧ୍ୟ ହେଉଥିଲେ। 

ମହାମାରୀରେ ସେ ଅନୁନ୍ୟ ୬୦ଟି ଡାୟେରୀ ଲେଖିଛନ୍ତି। ଏହି ସବୁ ଡାୟେରୀ ଯୋଗୁ ପ୍ରଶାସନ ଏବେ ତାଙ୍କୁ ଶତ୍ରୁ ଭାବୁଛି ବୋଲି ସେ କହିଛନ୍ତି। ଜଣେ ଲେଖିକା ଭାବେ ତାଙ୍କ ସହ ବହୁତ କ୍ରୁର ବ୍ୟବହାର କରାଯାଉଥିବା ସେ କହିଛନ୍ତି। ତାଙ୍କ ଦୈନିକ ଡାୟେରୀରେ ସେ କୌଣସିଠାରେ ହେଲେ ସରକାରଙ୍କ ପ୍ରଶଂସା କରିନାହାନ୍ତି ବରଂ ଲୋକଙ୍କ ଲାଗି ଅଜସ୍ର ସହାନୁଭୂତି ଜଣାଇଛନ୍ତି। ଖାସ ଏଥିଲାଗି ପ୍ରଶାସନ ଏବେ ତାଙ୍କ ଉପରେ କ୍ଷୁବ୍ଧ।  

କେବଳ ସରକାର ନୁହନ୍ତି ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିରୋଧରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି। ପଶ୍ଚିମ ଦେଶଙ୍କ ସହ ମିସି ସରକାର ବିରୋଧରେ ଡାୟେରୀ ତାଙ୍କର ଏକ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଏପରିକି ଲୋକେ ତାଙ୍କୁ ଦେଶଦ୍ରୋହୀ ଉଲ୍ଲେଖ କରିବାକୁ ବି ଏବେ ପଛଉନଥିବା ସେ କହିଛନ୍ତି। ତାଙ୍କ ଉପରେ ହେଉଥିବା ଏପରି ଆକ୍ରମଣକୁ ନେଇ ସେ ଏବେ ଚିନ୍ତାରେ ପଡିଯାଇଛନ୍ତି। ୧୯୬୬-୧୯୭୬ ଚୀନ୍‌ ସାଂସ୍କୃତିକ କ୍ରାନ୍ତି କଥା ତାଙ୍କର ମନେ ପଡିଯାଉଛି। ଯେଉଁଥିରେ ଲୋକେ ଅନେକ ବୁଦ୍ଧିଜୀବୀ ଓ ଚିନ୍ତାନାୟକଙ୍କୁ ହତ୍ୟା କରିଥିଲେ।

ଏଥିରୁ ଦେଶକୁ ବର୍ଗ ସଂଘର୍ଷ ଓ ସର୍ବହରା ଗୋଷ୍ଠୀଙ୍କ ଏକଛତ୍ରବାଦ ପୁଣି ଫେରିଥିବା ଜଣାପଡୁଛି। ଏଣୁ ଚୀନ୍‌ରେ ହୋଇଥିବା ସଂସ୍କାର ବିଫଳ ହୋଇଥିବା ସ୍ପଷ୍ଟ ହୋଇଥିବା ଫାଙ୍ଗ କହିଛନ୍ତି। ଉହାନରେ ୭୬ ଦିନ ପର୍ଯ୍ୟନ୍ତ ଲକଡାଉନ୍‌ ଜାରି ଥିଲା। ଏହା ନକରି ଥିଲେ ପରିସ୍ଥିତିର ଏବେ କଳ୍ପନା କରାଯାଇ ପାରୁନଥାନ୍ତା। ସରକାରଙ୍କ ପଦକ୍ଷେପକୁ ଡାୟେରୀରେ ଲେଖିକା ସମର୍ଥନ ମଧ୍ୟ କରିଥିଲେ। ଏଥିରୁ ଅନ୍ୟ ଦେଶଙ୍କୁ ମଧ୍ୟ ଚୀନ ଦୃଷ୍ଟିକୋଣର ଶିକ୍ଷା ମିଳିଥିଲା। ମହାମାରୀ ବେଳେ ସମସ୍ତ ସଭା, ସମିତି ଓ ଉତ୍ସବ ପାଳନ ଉପରେ କଟକଣା ଜାରି ରହିଥିଲା। ସମସ୍ତଙ୍କୁ ମାସ୍କ ପିନ୍ଧିବା ଜରୁରି କରାଯାଇଥିଲା। କୌଣସି ହାଉସିଂ କମ୍ପ୍ଲେକ୍ସକୁ ପ୍ରବେଶ ଲାଗି ହେଲଥ୍ କ୍ୟୁଆର କୋଡ ଜରୁରି କରାଯାଇଥିଲା। ଏହି ସବୁ ଯୋଗୁ ଏପ୍ରିଲ ମାସରେ ଉହାନରୁ କୋରନା ଚାଲିଯାଇଥିଲା।

ଯଦିଓ କରୋନା ଭାଇରସ ମୁକାବିଲାରେ ସରକାର ସଫଳ ହୋଇଛନ୍ତି ହେଲେ ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ଅଣଦେଖା ପରିସ୍ଥିତିକୁ ବିସ୍ଫୋରକ କରିଥିଲା। ଏଥିଲାଗି ଫାଙ୍ଗ ତାଙ୍କ ଡାୟେରୀରେ ଯାଞ୍ଚ ଦାବି କରିବା ଯୋଗୁ ଏପରି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଜଣାପଡିଛି। ସରକାରଙ୍କ ନୀତି ନିୟମକୁ ସେ ବିରୋଧ କରୁନାହାନ୍ତି କି ସରକାରଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ବି ନାହିଁ। ଦେଶରେ ସେ ଏକମାତ୍ର ବ୍ୟକ୍ତି ଲକଡାଉନକାଳରେ ଯାହା ଦେଖୁଥିଲେ ତାହା ଲେଖୁଥିଲେ। ତେବେ ତାଙ୍କ ଅଭିବ୍ୟକ୍ତିକୁ ନେଇ ଏତେ ବିରୋଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.