ଡ୍ରାଗନକୁ ଚେକ୍ : ତାଇଓ୍ୱାନକୁ ଏକ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

Published By : Prameya-News7 Bureau | August 30, 2022 IST

ନୂଆଦିଲ୍ଲୀ, ୩୦|୦୮: ତାଇଓ୍ୱାନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଜୋ ବାଇଡେନ୍ ପ୍ରଶାସନ ତାଇଓ୍ୱାନକୁ ଏବେ ୧.୧ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଆମେରିକା କଂଗ୍ରେସରୁ ଔପଚାରିକ ମଞ୍ଜୁରୀ ମିଳିବା ବାକି ରହିଛି ।  

ସୂତ୍ରାନୁସାରେ, ଆମେରିକା ତାଇଓ୍ୱାନକୁ ଯେଉଁସବୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ସେମଧ୍ୟରେ ୬୦ଟି ଆଣ୍ଟି ସିପ୍ ମିସାଇଲ୍ ଓ ୧୦ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ମଧ୍ୟ ରହିଛି । ଏହି ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଚୀନ  ଲଗାତର ଭାବେ ତାଇଓ୍ୱାନର ଜଳସୀମାରେ ନିଜର ଶକ୍ତି ପ୍ରଦର୍ଶନ କରୁଛି ।

ଆହୁରି ମଧ୍ୟ ଆମେରିକା ଯେଉଁସବୁ ଅସ୍ତ୍ର ତାଇଓ୍ୱାନକୁ ପ୍ରଦାନ କରିବ ସେସବୁ ମଧ୍ୟରେ ୩୫୫ ମିଲିୟନ ଡଲାରର ୬୦ ଏଜିଏମ୍  ୮୪୧, ହାର୍ପୁନ୍ ବ୍ଲକ୍ ୧୧ ମିସାଇଲ୍, ୮୫.୬ ମିଲିୟନ ଡଲାରର ୧୦୦ଟି ଏଆଇଏମ ୯ଏକ୍ସ ବ୍ଲକ୍ ୨  ସାଇଡଓ୍ୱାଇଣ୍ଡର୍ , ଶତ୍ରୁ ଉପରେ ନଜର ରଖିପାରୁଥିବା ରାଡାର ରହିଛି । ତେବେ ସାଇଡ୍ ଓ୍ୱାଇଣ୍ଡର ମିସାଇଲ୍ ତାଇପେରେ ଆମେରିକା ନିର୍ମିତ ଏଫ-୧୬ ଫାଇଟର୍ ଜେଟ୍ ସହ ଯୋଡି ହୋଇପାରିବ ।

ସୂଚନାଯୋଗ୍ୟ, ଚୀନ ତାଇଓ୍ୱାନକୁ ନିଜ ସୈନ୍ୟ ବଳରେ ହାତେଇବାକୁ ଚାହୁଁଛି । ଚୀନ ଏହାକୁ ନିଜର ବୋଲି ମାନୁଛି । ତେବେ ଆମେରିକା ସମେତ ଅନ୍ୟ ଦେଶ ତାଇଓ୍ୱାନକୁ ସମର୍ଥନ କରୁଛନ୍ତି । ଏହାସହ ଡ୍ରାଗନ ଜାଲରୁ ଏହାକୁ ରକ୍ଷା କରିବା ପାଇଁ ଲଗାତର ପ୍ରୟାସ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.