ସୁପର ପାଓ୍ୱାର ହେବାକୁ ସୁପର ସୋଲଜର୍ ତିଆରି କରିଛି ଚୀନ୍, ଜୈବିକ ଉପାୟରେ ସୈନିକଙ୍କୁ କରିଛି ଶକ୍ତିଶାଳୀ ଓ ଦୁର୍ଦ୍ଦଶ

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ, ୦୪।୧୨:  ସୁପର ପାଓ୍ୱାର ହେବାକୁ ଜିଦ୍ ଧରି ବସିଛି ଚାଇନା । ଖେଳୁଛି ସାଙ୍ଘାତିକ ଖେଳ । ସୁପର ପାଓ୍ୱାର ହେବା ନିଶାରେ ହିତାହିତ ଜ୍ଞାନ ଭୁଲି ବସିଛି ଡ୍ରାଗନ । ନିଜ ସୈନିକଙ୍କୁ ଶକ୍ତିଶାଳୀ ଓ ଦୁର୍ଦ୍ଦଶ କରିବା ପାଇଁ ଜୈବିକ ଉପାୟ ଗ୍ରହଣ କରୁଛି । ଏପରି ସାଙ୍ଘାତିକ ତଥ୍ୟ ଦେଉଛନ୍ତି ଆମେରିକା ଗୁଇନ୍ଦା ବିଭାଗର ଜଣେ ଅଧିକାରୀ । ଏହାସହ ସେ ଚୀନ ବାବଦରେ ଅନେକ ଗୁମର ଖୋଲିଛନ୍ତି ।

ଆମେରିକା ଗୁଇନ୍ଦା ବିଭାଗ ଅଧିକାରୀ ଜନ୍ ରାଟକ୍ଲିଫ୍ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଚୀନ ଆମେରିକା ସମେତ ସାରା ବିଶ୍ୱ ପାଇଁ ବଡ ବିପଦ । ଚୀନ ସରକାର ସେମାନଙ୍କ ସୈନ୍ୟଙ୍କୁ ଶକ୍ତିଶାଳୀ କରିବା ପାଇଁ ସ୍ୱତନ୍ତ୍ର ଜୈବିକ ଅସ୍ତ୍ର ବ୍ୟବହାର କରୁଛନ୍ତି । ଯାହା ସେମାନଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ଅନ୍ୟ ଦେଶର ସୈନ୍ୟଙ୍କ ତୁଳନାରେ ଦୁର୍ଦ୍ଦଶ କରିବ । ସେ ଏହି ସମୟରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଯେତେବେଳେ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ବିରୋଧୀ ମନୋଭାବ ପୋଷଣ କରିବା ସହ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ  ମଧ୍ୟ ଏପରି ପନ୍ଥ ଅବଲମ୍ବନ ପାଇଁ କହୁଛନ୍ତି ।

ଦି ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଜନ୍ ଆହୁରି କହିଛନ୍ତି ଯେ, ଚୀନ ସୈନ୍ୟ, ପ୍ରଯୁକ୍ତିବିଦ୍ୟା ଓ ଆର୍ଥିକ ବଳର ପ୍ରୟୋଗ କରି ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିବାକୁ ପ୍ରୟାସ କରୁଛି । ଚୀନର ପ୍ରମୁଖ ପଦକ୍ଷେପ ଓ ଚାଇନା କମ୍ପାନୀମାନେ କେବଳ ସରକାରରେ ଥିବା କମ୍ୟୁନିଷ୍ଟ ପାର୍ଟର ଇଚ୍ଛା ଓ ଲକ୍ଷ୍ୟକୁ ଆଗକୁ ବଡାଇବା କାମ କରୁଛନ୍ତି । ଚୀନର କମ୍ପାନୀମାନେ ଆମେରିକା କମ୍ପାନୀଙ୍କୁ ଧିରେଧିରେ ସମାପ୍ତ କରିବା ପାଇଁ ଅପପ୍ରୟାସ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଚୀନର ଅନେକ ରଣନୀତିକୁ ଆମେରିକା ଭଣ୍ଡୁର କରିଛି । ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନରେ ଚୀନକୁ ପ୍ରସଙ୍ଗ କରିଥିଲେ । ବାଇଡେନ୍ ମଧ୍ୟ ଚୀନର ଭୁଲ ନୀତିକୁ ବିରୋଧ କରନ୍ତି । ନିକଟରେ ଆମେରିକା ସରକାର ଚୀନ ସରକାରରେ ଥିବା ନେତା ଓ ତାଙ୍କ ପରିବାର ସଦସ୍ୟ ଆମେରିକା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି । ଉଭୟ ଦେଶ ମଧ୍ୟରେ କରୋନା, ହଙ୍ଗକଙ୍ଗ ଓ ଅନ୍ୟ ପ୍ରସଙ୍କରେ ମୁହାଁମୁହିଁ ହେଉଛନ୍ତି ।

ଆମେରିକା ବୈଦେଶିକ ମନ୍ତ୍ରାଳୟର ଜଣେ ପ୍ରବକ୍ତାଙ୍କ କହିବାନୁସାରେ, କମ୍ୟୁନିଷ୍ଟ ନେତା ଓ ତାଙ୍କ ପରିବାର ସଦସ୍ୟ ପାଇଁ ଜାରି ଭିସା କେବଳ ୧ ମାସ ପାଇଁ ବୈଧ ରହିବ । ଅର୍ଥାତ ସେମାନେ ଆମେରିକାରେ ମାତ୍ର ୩୦ ଦିନ ହିଁ ରହିପାରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.