ଗୁରୁତର ହେଉଛି ଚୀନ୍ ଅର୍ଥବ୍ୟବସ୍ଥା, ଆଗକୁ ହେବ ଅସମ୍ଭାଳ,ସତର୍କ କଲେ ପୂର୍ବତନ ଅର୍ଥମନ୍ତ୍ରୀ ଲୁ ଜିୱେଇ

Published By : Prameya-News7 Bureau | March 02, 2021 IST

ବେଜିଂ :  ଚୀନ୍ ଅର୍ଥମନ୍ତ୍ରୀ ଲୁ ଜିୱେଇ ଦେଶର ଅର୍ଥବ୍ୟବସ୍ଥା ସମ୍ମୁଖୀନ ହୋଇଥିବା ପରିସ୍ଥିତି ଓ ଆହ୍ୱାନ ନେଇ ସତର୍କ କରାଇଛନ୍ତି। ଦେଶର ସ୍ଥାନୀୟ ସରକାରଙ୍କ ବଢୁଥିବା ଋଣଭାର, ଜନସଂଖ୍ୟା ସାଙ୍ଗକୁ ବୟସ୍କ ଲୋକଙ୍କ ସଂଖ୍ୟାବୃଦ୍ଧି, ଆମେରିକାର ଆକ୍ରମକ ପ୍ରୋତ୍ସାହନ ନୀତି ସାଙ୍ଗକୁ ବୈଶ୍ୱିକ ମହାମାରୀ କାରଣରୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଉପୁଜିଥିବା ମନ୍ଥରତା ଏବେ ଚୀନ୍କୁ କବଳିତ କରିଥିବା ଜିୱେଇ କହିଛନ୍ତି। ଯାହା ଆଗକୁ ଦେଶ ଲାଗି ଅଧିକ ଗୁରୁତର ହେବ ବୋଲି ଜିୱେଇ କହିଛନ୍ତି।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦେଶର ରାଜସ୍ୱ ଆୟ ହ୍ରାସ ହୋଇଚାଲିବ। ଏଣୁ କୌଣସି ବାବଦରେ ଖର୍ଚ୍ଚ କାଟର ଏବେ ସମ୍ଭାବନା ମଧ୍ୟ ନାହିଁ।  ତେବେ ଏହି ଆର୍ଥିକ ଜଟିଳତା ସ୍ୱଳ୍ପକାଳିକ ନୁହେଁ ଦୀର୍ଘାବଧି ପର୍ଯ୍ୟନ୍ତ ପରିସ୍ଥିତି ଜାରି ରହିବାକୁ ଥିବା ବେଳେ ମଧ୍ୟାବଧିରେ ଅଧିକ ଜଟିଳ ହେବ ବୋଲି ଜିୱେଇ ସତର୍କ କରାଇଛନ୍ତି।

ଆଗାମୀ ସପ୍ତାହରେ ଦେଶରେ ଆୟୋଜିତ ହେବାକୁ ଯାଉଥିବା ବାର୍ଷିକ ସମ୍ମିଳନୀ ପୂର୍ବରୁ ଶୀର୍ଷ ରାଜନୈତିକ ପରାମର୍ଶଦାତା ନ୍ୟାସନାଲ ପ୍ୟୁପିଲସ୍ କଂଗ୍ରେସ (ଏନପିସି), ଚୀନ୍‌ ପ୍ୟୁପିଲସ କନସଲଟେଟିଭ କନଫରେନ୍ସ (ସିପିପିସିସି) ମାଧ୍ୟମରେ ଅର୍ଥବ୍ୟବସ୍ଥା ନେଇ ଜିୱେଇଙ୍କ ପୂର୍ବାନୁମାନ ସାମ୍ନାକୁ ଆସିଛି। ଏହି ସମ୍ମିଳନୀରେ ସରକାର ଗତବର୍ଷ ଦେଶରେ କରୋନା ଭାଇରସ ମହାମାରୀର ମୁକାବିଲା ଲାଗି ଘୋଷଣା କରିଥିବା ଆର୍ଥିକ ପ୍ରୋତ୍ସାହନ ଜାରି ରଖିବେ କି ପ୍ରତ୍ୟାହାର କରିବେ କି ନା ସେ ନେଇ ମଧ୍ୟ ନିଷ୍ପତ୍ତି ହେବ।

ତେବେ ଚୀନ୍‌ ଗତ ୨୦୦୯ ମସିହାରୁ ଦେଶରେ ୧୧ ବର୍ଷ ଲାଗି ବିସ୍ତୃତ ବିସ୍ତାରବାଦୀ ଆର୍ଥିକ ନୀତିରେ ପରିଚାଳିତ ହେଉଛି। ଏଥିଯୋଗୁ ଦେଶର ଆର୍ଥିକ କ୍ଷତି ପରିମାଣ ବଢିବଢି ଚାଲିଥିବା ବେଳେ ଦେଶର ଋଣ ଭାର ବିସ୍ଫୋରକ ରୂପ ଧାରଣ କରିଛି। ଏହା ଛଡା ଦେଶରେ ବୃଦ୍ଧି ହେଉଥିବା ଜନସଂଖ୍ୟା ଆଗାମୀ ବର୍ଷମାନଙ୍କରେ ଆର୍ଥିକ ଅବସ୍ଥା ଲାଗି ସବୁଠୁ ବଡ଼ ଆହ୍ୱାନରେ ପରିଣତ ହେବ ବୋଲି ଜିୱେଇ ସତର୍କ କରାଇଛନ୍ତି।

ଦେଶରେ ବୃଦ୍ଧଙ୍କ ସଂଖ୍ୟା ବଢି ଚାଲିବା ଚୀନ୍‌ର ଆର୍ଥିକ ବ୍ୟୟର ଆକାର ଓ ରାଜକୋଷୀୟ ସଂରଚନାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ବୟଷ୍କଙ୍କ ଦେଖାରେଖା ବାବଦ ଖର୍ଚ୍ଚ ବଢିବା ସହ ସରକାରୀ ଅର୍ଥ ଉପରେ ଏହା କ୍ରମଶଃ ବୋଝ ହେବ। ତେବେ ଏହା ଆଜିକାଲିର ପରିବର୍ତ୍ତନ ଯୋଗୁ ନୁହେଁ ଦୀର୍ଘ ଶତାବ୍ଦୀ ଧରି ଆଣେ ଅଣଦେଖା ହୋଇଆସିଥିବା ପ୍ରସଙ୍ଗ ଲାଗି ଏବେ ଏପରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ଜିୱେଇ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.