ପାକିସ୍ତାନ ଲ୍ୟାବରେ ଚୀନ ପ୍ରସ୍ତୁତ କରୁଛି ଭୟଙ୍କର ଭୂତାଣୁ, କରୋନାଠୁ ଆହୁରି ଶକ୍ତିଶାଳୀ ଭାଇରସରେ ଜୈବିକ ଅସ୍ତ୍ର ତିଆରି କରି ବୃହତ ଶକ୍ତି ହେବାକୁ ବ୍ଲୁପ୍ରିଣ୍ଟ କରିଛନ୍ତି ଜିନପିଙ୍ଗ୍

Published By : Prameya-News7 Bureau | July 26, 2020 IST

ସିଡନୀ, ୨୬|୦୭: କରୋନା ଭାଇରସ ଉହାନ ଲ୍ୟାବ୍‌ରୁ ସୃଷ୍ଟି ହୋଇଥିବା ଦାବି ପରେ ମଧ୍ୟ ସୁଧୁରୁନି ଚୀନ । ସମସ୍ତ ଅଭିଯୋଗକୁ ଡ୍ରାଗନ ଖଣ୍ଡନ କରିଥିଲେ ମଧ୍ୟ ଗୋପନୀୟ ଲ୍ୟାବରେ ତିଆରି କରୁଛି ଗୋଟିଏ ପରେ ଗୋଟିଏ ମାରାତ୍ମକ ଭାଇରସ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବା ପାଇଁ ଚୀନ ଡାକି ଆଣୁଛି ଆଉ ଏକ ବଡ ବିପଦକୁ । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହାର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି । ତେବେ ଚୀନର ଏହି ଚାଲାକି ଧରା ପଡିଯାଇଛି । ପାକିସ୍ତାନକୁ ଢାଲ କରି ଚୀନ ବିଶ୍ୱରେ ସୃଷ୍ଟି କରିବାକୁ ଯାଉଛି ଆଉ ଏକ ପ୍ରଳୟ । ଅଷ୍ଟ୍ରେଲିଆର ଜଣେ ବରିଷ୍ଠ ସାମ୍ବାଦିକ ଆଣ୍ଟୋନୀ କ୍ଲାନ୍ ଚୀନର ଏହି ଗୁମର ଖୋଲି ଦେଇଛନ୍ତି ।

ଉହାନ ଲ୍ୟାବରୁ କରୋନା ଭାଇରସ ସୃଷ୍ଟି ହୋଇଥିବା ଅନେକ ବିଶେଷଜ୍ଞ ଦାବି କରୁଛନ୍ତି । ଏହି ଭାଇରସର ଆତଙ୍କ ସାରା ବିଶ୍ୱ ଭୋଗୁଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ଆମେରିକା ବାରମ୍ବାର ଅଭିଯୋଗ କରୁଛି ଯେ ଏହି ଭାଇରସ ପ୍ରାକୃତିକ ନୁହେଁ । ଏହାକୁ ଚୀନ ଲ୍ୟାବରେ ତିଆରି କରିଛି । ତେଣୁ ଉହାନରେ ହିଁ କରୋନାର ପ୍ରକୋପ ପ୍ରଥମେ ଆରମ୍ଭ ହୋଇଥିଲା । ତେବେ ଚୀନ ଏସବୁ ଅଭିଯୋଗକୁ ମିଛ କହିବା ସହ ଖଣ୍ଡନ କରିଛି । କିନ୍ତୁ ଆଣ୍ଟୋନୀଙ୍କ ରିପୋର୍ଟ ସାରା ବିଶ୍ୱର ନିଦ ହଜାଇ ଦେଇଛି ।  

ଚାଇନାଜ୍ ଉହାନ ଲ୍ୟାବ୍ ଅପରେଟିଂ କଭର୍ଟ ଅପରେସନ ଇନ୍ ପାକିସ୍ତାନୀ ନାମକ ଏକ ରିପୋର୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଓ ଅନେକ ଦେଶର ଚାପ ପରେ ଉହାନ ଲ୍ୟାବ୍ ବନ୍ଦ ରହିଛି । ତେଣୁ ଚୀନ ପାକିସ୍ତାନ ସହ ଏକ ଚୁକ୍ତି କରିଛି । ୩ ବର୍ଷ ପାଇଁ ଏହି ଚୁକ୍ତି ହୋଇଛି । ଚୁକ୍ତି ଅନୁସାରେ ଅତ୍ୟନ୍ତ ଗୁପ୍ତ ଭାବେ ପାକିସ୍ତାନ ଲ୍ୟାବ୍‌ରେ ଚୀନା ବୈଜ୍ଞାନିକ ଗବେଷଣା କରୁଛନ୍ତି । ଉହାନ ଲ୍ୟାବରେ କାମ କରୁଥିବା ବୈଜ୍ଞାନିକଙ୍କୁ ଏଥିରେ ସାମିଲ କରାଯାଇଛି । ସେମାନଙ୍କୁ ସହଯୋଗ କରୁଛନ୍ତି ପାକିସ୍ତାନ ମିଲିଟାରୀ ବୈଜ୍ଞାନିକ । ଏହି ଗୁପ୍ତ ଲ୍ୟାବରେ ଅନେକ ମାରାତ୍ମକ ଭୂତାଣୁ ପ୍ରସ୍ତୁତ କରାଯାଉଛି । ଯାହାକୁ ଚୀନ ଶତ୍ରୁ ଦେଶ ଉପରେ ପ୍ରୟୋଗ କରିବ । କିଛି ଭୂତାଣୁ ଆନ୍ଥ୍ରାକ୍ସ ଓ କରୋନାଠୁ ମଧ୍ୟ ଭୟଙ୍କର ।

ସେ ଆହୁରି କହିଛନ୍ତି ଯେ, ଏପରି ମାରାତ୍ମକ ଭୂତାଣୁ ତିଆରିରେ ଚୀନ ବୈଜ୍ଞାନିକ ପାକିସ୍ତାନୀ ବୈଜ୍ଞାନିକଙ୍କୁ ଟ୍ରେନିଂ ଦେଉଛନ୍ତି । ଚୀନ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଏହାମଧ୍ୟରେ ସେମାନେ ଏକ ଭୂତାଣୁକୁ ବିକଶିତ କରିଛନ୍ତି । ଯାହା ଦ୍ୱାରା ଜ୍ୱର ହେବ ଓ ଏଥିରେ ବହୁ ସଂଖ୍ୟାରେ ଆକ୍ରାନ୍ତ ପ୍ରାଣ ହରାଇବେ । ତେବେ ଚୀନ ସାରା ବିଶ୍ୱରେ ନିଜର ଦବଦବା ଜାହିର କରିବାକୁ ଏପରି ରାସ୍ତା ଆପଣାଇଥିବା ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.