ଚାଇନାରେ ଥମୁନି କରୋନା ଆତଙ୍କ, କଟକଣାରେ ବଞ୍ଚୁଛନ୍ତି ୨୬ ସହରର ୨୧ କୋଟିରୁ ଅଧିକ ଲୋକ

Published By : Prameya-News7 Bureau | May 03, 2022 IST

ନୂଆଦିଲ୍ଲୀ,୦୩/୦୫:   ଚାଇନାରେ ଭୟଙ୍କର ରୂପ ଧାରଣ କରିଛି କରୋନା । ସଂକ୍ରମଣ କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେବି କଟକଣା କଡାକଡି ରହିଛି । ଏପରିକି ଦେଶରେ ଶ୍ରମିକ ଦିବସ ପାଳନ ଉପରେ ମଧ୍ୟ ରୋକ୍ ଲାଗିଛି ।

ସୂଚନାନୁସାରେ, ପ୍ରଥମେ କରୋନା ଭାଇରସ ଚୀନରୁ ହିଁ ଉତ୍ପତ୍ତି ହୋଇଥିଲା । ଯାହା ପରେ ସାରା ବିଶ୍ୱକୁ ବ୍ୟାପିଥିଲା । ଏବେ ସବୁଠି ସଂକ୍ରମଣ କମିଥିବା ବେଳେ ଚୀନରେ କିନ୍ତୁ ଏହା ଥମିବାର ନାଁ ନେଉନାହିଁ । ଦେଶର ଆର୍ଥିକ ରାଜଧାନୀ ସଂଘାଇରେ ପୁଣି ଲକଡାଉନ ଲାଗିଛି । ବେଜିଂରେ ବି କଟକଣା କଡାକଡି ଭାବେ ଲାଗୁ କରାଯାଇଛି । ୨୧ କୋଟିରୁ ଅଧିକ ଲୋକ କଟକଣା ଭିତରେ ଜୀବନ ବଞ୍ଚୁଛନ୍ତି । ଏଠାରେ କେବେ ଲକଡାଉନ୍ ହଟିବ ସେନେଇ ରାଷ୍ଟ୍ରପତି ସି ଜିନପିଙ୍ଗ୍ ନୀରବ ରହିଛନ୍ତି । ଗତ ଏପ୍ରିଲରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କେତେକ ସାର୍ବଜନୈକ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ କିନ୍ତୁ କରୋନା ଏବଂ ଲକଡାଉନ ବିଷୟରେ ଚୁପ୍ ରହିଥିଲେ।

ଚୀନର ଲକଡାଉନ ହେତୁ ସେଠାକାର ଜନତା ଖାଇବା ପିଇବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି । ରାଷ୍ଟ୍ରପତି ଜିନପିଙ୍ଗ ପ୍ରଥମେ ପ୍ରାୟ ୭୫ଲକ୍ଷ ସରକାରୀ କର୍ମଚାରୀଙ୍କୁ ଜରୁରୀ ସାମଗ୍ରୀ ବିତରଣ ଏବଂ ଅନ୍ୟ କାମରେ ଲଗାଇଥିଲେ । ଏବେ କମ୍ୟୁନିଷ୍ଟ ପାର୍ଟିର ପାଖାପାଖି ୫୦ଲକ୍ଷ କର୍ମୀଙ୍କୁ ବିତରଣ କାମରେ ନିୟୋଜିତ କରାଯାଇଛି।

ଦେଶର ୨୬ସହରରେ ଲକଡାଉନ କାରଣରୁ ଚୀନର ଜିଡିପି ପ୍ରଭାବିତ ହୋଇଛି । ଜିଡିପି ଉପରେ ୨୨ପ୍ରତିଶତ  ପ୍ରଭାବ ପଡ଼ିଛି । ଦେଶର ମୋଟ ୧୧୨୬ଲକ୍ଷ କୋଟିର ଜିଡିପିରେ ୨୪୭ଲକ୍ଷ କୋଟି ଟଙ୍କା କ୍ଷତି ଘଟିଲାଣି। ଦେଶରେ ଉତ୍ପାଦନ ମଧ୍ୟ ଦୁଇ ବର୍ଷ ହେଲା କମ୍ ରହିଛି । କେବଳ ସେତିକି ନୁହେଁ, ଚୀନର ଡିଜିଂଗୟାନ, ଜିଲିନ, ସଂଘାଇ, ବେଜିଂ ସମେତ ୮ଟି ସ୍ଥାନରେ ୨ମାସ ହେବ ସ୍କୁଲ ବନ୍ଦ ରହିଛି । ଏଠାରେ ଓମିକ୍ରନ ଭାଇରସ ଆତଙ୍କ ଖେଳାଉଛି। ଏଠାରେ ପିଲାଙ୍କୁ ଘର ଘର ବୁଲି ଟେଷ୍ଟିଂ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.