ଭୁଟାନ୍‌ର ଜମି କବ୍‌ଜା କରି ଭାରତ ସୀମାରେ ୪ ଗାଁ ବସାଇଲା ଚୀନ୍‌, ଚିନ୍ତା ବଢ଼ାଉଛି ଡ୍ରାଗନ୍‌ର ଚାଲ୍‌

Published By : Prameya-News7 Bureau | November 18, 2021 IST

ନୂଆଦିଲ୍ଲୀ, ୧୮/୧୧: ସୀମାରେ ଚୀନ୍‌ର କାର୍ଯ୍ୟକଳାପ ଭାରତର ଚିନ୍ତା ବଢ଼ାଇବାରେ ଲାଗିଛି । ଡ୍ରାଗନ ଏବେ ଭୁଟାନର ପାଖାପାଖି ୧ ଶହ ବର୍ଗ କିଲୋମିଟର ଜାଗା କବ୍‌ଜା କରିନେଇ ସେହି ସ୍ଥାନରେ ୪ଟି ଗାଁ ବସାଇଛି । ଏହି ଗାଁ ଗୁଡ଼ିକ ଭାରତର ଠିକ୍‌ ସୀମାରେ ନିର୍ମାଣ କରାଯାଇଛି । ଯାହାକି ଭୁଟାନର ଚିନ୍ତା ବଢ଼ାଇବା ସହିତ ଭାରତର ପ୍ରତି ବିପଦ ସୃଷ୍ଟି କରିବା ନେଇ ସମ୍ଭାବନା ରହିଛି  । ଚୀନ୍‌ ସେନାଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖୁଥିବା ଏକ ସାଟ୍‌ଲାଇଟ୍‌ର ବିଶେଷଜ୍ଞ ଏନେଇ କିଛି ଫଟୋ ଛାଡ଼ିବା ସହିତ ଚୀନ୍‌ ପ୍ରାୟ ଏକ ବର୍ଷ ଧରି ଭୁଟନ ସୀମା ଭିତରେ ପଶି ଗାଁ ବସାଇବାରେ ଲାଗିଥିବା କହିଛନ୍ତି ।

ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ୧୦୦ ବର୍ଗ କିଲୋମିଟର ଭିତରେ କିଛି ଗ୍ରାମ ବସିଥିବା ଦେଖାଯାଉଛି । ଦ ଇଟ୍‌ଲି ଲୋବ୍‌ ନାମକ ଏକ ସଂସ୍ଥା ଅନୁସାରେ, ଡୋକଲାମ୍‌ ନିକଟସ୍ଥ ଭୁଟାନ ଏବଂ ଚୀନ୍‌ ମଧ୍ୟରେ ବିବାଦ ଜାଗା ଉପରେ ୨୦୨୦-୨୧ରେ ନୂଆ କିଛି ନିର୍ମାଣ କରାଯାଇଥିବା ଦେଖାଯାଉଛି । କିଛି ନୂଆଗ୍ରାମ ଚୀନ୍‌ ବସାଇଥିବା ସ୍ୟାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ୁଛି ।

ଡୋକଲାମ ଅଞ୍ଚଳରେ ୨୦୧୭ରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଏହାପରେ ମଧ୍ୟ ଚୀନ୍ ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଭୁଟାନ ଜମିରେ ନୂଆ ନିର୍ମାଣ ବିଷୟରେ ଏବେ ଜଣାପଡ଼ିଛି । ଯଦି ଏହା ସତ୍ୟ, ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । କାରଣ ଭୁଟାନ ଭାରତର ନିକଟତର ଦେଶ ଏବଂ ଏହାର ବୈଦେଶିକ ନୀତିରେ ଭାରତର ଅନେକ ପ୍ରଭାବ ପଡିଛି । ଭାରତ ମଧ୍ୟ ଭୁଟାନ ସୈନ୍ୟମାନଙ୍କୁ ତାଲିମ ଦେଇଥାଏ। ଭୁଟାନ ଉପରେ ଚୀନ୍‌ର କ୍ରମାଗତ ଚାପ ରହିଥିବା ଦେଖିବାକୁ ମିଳିଛି ଯାହାକି ଆଗକୁ ଚିନ୍ତାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.