Corona ସଂକ୍ରମଣ ଯୋଗୁ ଚୀନ ସଂସଦ ଅଧିବେଶନ ବାତିଲ
24/02/2020 at 9:37 PM

ବେଜିଂ: ଚୀନରେ କରୋନା ସଂକ୍ରମଣ ଯୋଗୁ ବାର୍ଷିକ ସଂସଦ ଅଧିବେଶନ ବାତିଲ ଲାଗି ସୋମବାର ନିଷ୍ପତ୍ତି ହୋଇଛି। ଦେଶରେ ସାଂସ୍କୃତିକ ଆନ୍ଦୋଳନ ପରେ ସଂସଦ ଅଧିବେଶନ ବାତିଲ ହେବାର ଏହା ପ୍ରଥମ ଘଟଣା। ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ପ୍ୟୁପିଲସ୍ କଂଗ୍ରେସରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଶୀର୍ଷ କମ୍ୟୁନିଷ୍ଟ ନେତାମାନେ ମଧ୍ୟ ଯୋଗ ଦେଇଥାନ୍ତି। ଯେଉଁଥିରେ ବଜେଟ୍ ସମେତ ବିଭିନ୍ନ ବିଲ୍ ଓ ବ୍ୟକ୍ତିଗତ ଉପସ୍ଥାପନ ମଧ୍ୟ ହୋଇଥାଏ।

ହେଲେ କରୋନା ସଂକ୍ରମଣ ଯୋଗୁ ଚୀନ ଏବେ ସ୍ଥାଣୁ ହୋଇଯାଇଛି। ଇତିମଧ୍ୟରେ ଅଢେଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଏଣୁ ବାର୍ଷିକ ଅଧିବେଶନ ଲାଗି ସୋମବାର ଜାତୀୟ ପ୍ୟୁପିଲସ୍ କଂଗ୍ରେସ(ଏନପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉପୁଜିଥିବା ପରିସ୍ଥିତିରେ ପାର୍ଲାମେଣ୍ଟ ଅହ୍ୱାନ ନ କରିବା ଲାଗି ନିଷ୍ପତ୍ତି ହୋଇଛି।

ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ଅଧିବେଶନ ଲାଗି ଦିନ ସ୍ଥିର ହୋଇଥିଲା। ତେବେ ଏହାକୁ ବର୍ତ୍ତମାନଲାଗି ଘୁଞ୍ଚାଇ ଦିଆଯାଇଛି। ହେଲେ ବାସ୍ତବିକତା ହେଉଛି ସଂସଦ ଲାଗି ଶିର୍ଷ ଅଧିକାରୀମାନଙ୍କୁ ଯୋଗଦେବା ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ସେମାନେ ଏବେ କରୋନା ନିୟନ୍ତ୍ରଣ ଲାଗି ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଥିବାରୁ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ରହିଛି। ଏଣୁ ଅଧିବେଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ୧୯୮୫ ମସିହା ପରଠାରୁ କେବେବି ଚୀନ ବାର୍ଷିକ ସଂସଦ ବନ୍ଦ ହୋଇ ନାହିଁ। ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥାଏ। ହେଲେ ଦୀର୍ଘ ଦଶନ୍ଧୀରେ ଏହା ପ୍ରଥମ ଘଟଣା।