ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ ଟି ଟିମ୍‌ରେ ୧୦୧ ଜଣ ସାମିଲ

Published By : Prameya-News7 Bureau | January 04, 2023 IST

ଟାଙ୍ଗୀ ୦୪।୦୧ : ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି। ସକାଳ ୬ଟା ରୁ ଆରମ୍ଭ ହୋଇଥିବା ଗଣନା କାର୍ଯ୍ୟ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ ।

ଖବର ଅନୁଯାୟୀ, ଗୋଟିଏ ଦିନ ପାଇଁ ହେବ ଏହି ଗଣନା କାର୍ଯ୍ୟ । ପକ୍ଷୀ ଗଣନା ପାଇଁ ସର୍ବମୋଟ ୧୦୧ ଜଣଙ୍କୁ ସାମିଲ କରାଯାଇଛି । ଏଥିପାଇଁ ୨୧ ଟି ଟିମ୍ ଗଠନ ହୋଇଛି । ପ୍ରତି ଟିମ୍ ରେ ୪ରୁ୫ ଜଣ ଲେଖାଏଁ ନିୟୋଜିତ ହୋଇଛନ୍ତି । ବାଇନକୁଲାର ସାହାଯ୍ୟରେ ପକ୍ଷୀଗଣନା କରାଯାଉଛି । ଜଳଭାଗରେ ୧୯ ଟି ଟିମ୍ ଏବଂ ସ୍ଥଳଭାଗରେ ୨ଟି ଟିମ୍ ଚିଲିକାକୁ ଆସିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରୁଛନ୍ତି । ଟାଙ୍ଗୀ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ପକ୍ଷୀଙ୍କ ସମାଗମ ଅଧିକ ଥିବା ଯୋଗୁଁ ଅଧିକ ଗଣନାକାରୀ ଟିମ୍ ନିୟୋଜିତ କରାଯାଇଛି ।

ପୁରୀ-ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଭୁକ୍ତ ଥିବା ଚିଲିକା ଏରିଆରେ ପକ୍ଷୀ ଗଣନା ହେଉଛି। ଗତବର୍ଷ ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ଚିଲିକାରେ କେତେ ପ୍ରଜାତିର ପକ୍ଷୀ ଓ ସେମାନଙ୍କ ସଂଖ୍ୟା କେତେ ତାହାର ଟିକିନିଖି ହିସାବ କରିବେ ପ୍ରଶାସନ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ CDA ସହଯୋଗରେ ବିଭିନ୍ନ ସ୍ୱଛାସେବୀ ସଂଗଠନ ଏହି ପକ୍ଷୀ ସୁରକ୍ଷା ବାହିନୀ , ପକ୍ଷୀ ବିଶେଷଜ୍ଞ , ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟିର ବିଶେଷଜ୍ଞ ରିସର୍ଚ୍ଚ ପର୍ସନ ମାନଙ୍କୁ ନେଇ ପକ୍ଷୀ ଗଣନା କରାଯାଉଛି । ଗଣନା କାର୍ଯ୍ୟରେ ପ୍ରତିବନ୍ଧକ ନ-ଆସିବା ପାଇଁ ପର୍ଯ୍ୟଟକ ମାନଙ୍କୁ କିଛି ସମୟ ପାଇଁ ଚିଲିକା ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଚିଲିକା ବନ୍ୟପ୍ରାଣୀ ବିଭାଗର ACF ପ୍ରଶାନ୍ତ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.