ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମଧ୍ୟ ମିଳିବ ମାତା-ପିତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | September 01, 2023 IST

ନୂଆଦିଲ୍ଲୀ, ୦୧/୦୯: ବିବାହ ନହୋଇ ଜନ୍ମ ହୋଇଥିବା ଶିଶୁ ନିଜ ବାପା-ମାଆଙ୍କ ସମ୍ପତ୍ତିରେ ଭାଗ ପାଇବା ପାଇଁ ଯୋଗ୍ୟ । ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ପରେ ଏବେ ହିନ୍ଦୁ ବିବାହ ଅଧିନିୟମର ଧାରା ୧୬(୩)ର କ୍ଷେତ୍ର ବଢ଼ିଯିବ। ୧୧ ବର୍ଷ ପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାର୍ଦିଓ୍ବାଲା ଏବଂ ବିଚାରପତି ମନୋଜ ମିଶ୍ରାଙ୍କ ବବେଞ୍ଚ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଏହି ରାୟ ଅନୁଯାୟୀ, ଏଣିକି ହିନ୍ଦୁ ବିବାହ ଆଇନ୍‌ରେ ଯେଉଁ ବିବାହକୁ ଅନୁମତି ମିଳିନଥିବ ଆଉ ସେହି ବିବାହରୁ ଜନ୍ମିତ ଶିଶୁକୁ ମଧ୍ୟ ମାତା-ପିତାଙ୍କ ପୈତୃକ ସମ୍ପତ୍ତିରେ ଭାଗ ମିଳିବ। ସୁପ୍ରିମକୋର୍ଟ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ଏହା ସହ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ପାଇଥିବା ଏହି ଅଧିକାର ଏବେ ଅମାନ୍ୟ ବିବାହରୁ ଜନ୍ମିତ ଶିଶୁଙ୍କୁ ମଧ୍ୟ ମିଳିଛି।

କ’ଣ କହୁଛି ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ୧୯୫୫ ?

ସୂଚନାଯୋଗ୍ୟ, ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ କୌଣସି ବିବାହକୁ ଦୁଇ ଆଧାରରେ ଅମାନ୍ୟ କୁହାଯାଏ । ଗୋଟିଏ ବିବାହ ଦିନଠାରୁ ଆଉ ଅନ୍ୟଟି ଅଦାଲତ ଅମାନ୍ୟ ଘୋଷଣା କଲେ । ଏଭଳି ବିବାହରୁ ଜନ୍ମିତ ଶିଶୁଙ୍କ ମାତା ପିତାଙ୍କ ପୈତୃକ ସମ୍ପତ୍ତିରେ ଭାଗକୁ ନେଇ ଏକ ଯାଚିକା ସୁପ୍ରିମକୋର୍ଟରେ ରୁଜୁ କରାଯାଇଥିଲା।

୨୦୧୧ରେ କୋର୍ଟ କହିଥିଲେ ଯେ, ମାନ୍ୟ ଏବଂ ଅମାନ୍ୟ ବିବାହରୁ ହୋଇଥିବା ଶିଶୁ କେବଳ ନିଜ ବାପା-ମାଆଙ୍କ ସମ୍ପତ୍ତିରେ ଭାଗ ନେଇପାରିବେ ଆଉ କୌଣସିଥିରେ ନୁହେଁ। କୋର୍ଟ ପୂର୍ବ ନିଷ୍ପତ୍ତିରେ କହିଥିଲେ ଯେ, ଏଭଳି ଶିଶୁ ନିଜ ପୂର୍ବଜଙ୍କ ସମ୍ପତ୍ତିରେ ହକ୍‌ ପାଇବା ପାଇଁ ଅଧିକାରୀ ହେବେନାହିଁ । ତେବେ ବର୍ତ୍ତମାନର ଶୁଣାଣିରେ ସୁପ୍ରିମକୋର୍ଟଙ୍କ ନୂତନ ବେଞ୍ଚ ପୁରୁଣା ନିଷ୍ପତ୍ତିରେ ଅସହମତି ଜ୍ଞାପନ କରିଥିଲେ ।

ସୁପ୍ରିମକୋର୍ଟଙ୍କ ରାୟ:

ତେବେ ସୁପ୍ରିମକୋର୍ଟଙ୍କ ବେଞ୍ଚ ସବୁ ପକ୍ଷଙ୍କ ଦଲିଲ୍‌ ଶୁଣିବା ପରେ ଚାରି ବିନ୍ଦୁରେ ନିଜ ନିଷ୍ପତ୍ତି ଶୁଣାଇଥିଲେ। ପ୍ରଧାନ ବିଚାରପତି କହିଥିଲେ ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧୬ର ଉପଧାରା ୧ ଅନୁଯାୟୀ ଅମାନ୍ୟ ବିବାହରେ ପତି-ପତ୍ନୀଙ୍କ ସନ୍ତାନ ଆଇନ ନଜରରେ ବୈଧ । ଉପଧାରା ୨ ଅନୁଯାୟୀ ଅମାନ୍ୟ ବିବାହରୁ ଜନ୍ମିତ ଶିଶୁ ବୈଧ। ଯେହେତୁ ବିବାହରୁ ଜନ୍ମିତ ଶିଶୁ ବୈଧ ଏଥିପାଇଁ ତାଙ୍କର ମାତା-ପିତାଙ୍କ ସମ୍ପତ୍ତିରେ ହକ୍‌ ରହିଛି।

ହିନ୍ଦୁ ବିବାହ ଅଧିନିୟମ ୧୯୫୫, ଅମାନ୍ୟ ବିବାହକୁ ‘vois ab initio’ ଭାବରେ ପରିଭାଷିତ କରିଥାଏ ଯାହାର ଅର୍ଥ ଯେ, ଏହା ଆରମ୍ଭରୁ ହିଁ ଅମାନ୍ୟ। ଅଧିନିୟମ ନିମ୍ନଲିଖିତ ଆଧାରରେ ବିବାହକୁ ଅମାନ୍ୟ ଘୋଷଣା କରିଥାଏ। ବିବାହ ବନ୍ଧନରେ ଯୋଡ଼ି ହୋଇଥିବା ଯୁବକ, ଯୁବତୀ କିମ୍ବା ଉଭୟଙ୍କ ବୟସ ନିର୍ଦ୍ଧାରିତ ସୀମାରୁ କମ୍‌ ହୋଇଥିବ । ଯୁବକ କିମ୍ବା ଯୁବତୀଙ୍କ ମଧ୍ୟରୁ କେହି ଜଣେ ପୂର୍ବରୁ ହିଁ କୌଣସି ବ୍ୟକ୍ତିଙ୍କ ସହ ବିବାହିତ।

କେହି ଜଣେ କିମ୍ବା ଉଭୟଙ୍କ ସମ୍ପର୍କ ଏଭଳି ଥିବ ଯାହା ଦ୍ବାରା ବିବାହକୁ ଅନୁମତି ଦିଆଯାଇପାରିବନାହିଁ । କିମ୍ବା ବିବାହ ଆଇନ୍‌ ଅନୁଯାୟୀ ହୋଇନଥିବ। କୌଣସି ବି ପକ୍ଷକୁ ଡରାଇ ଧମକାଇ କିମ୍ବା ମିଛ କହି ବିବାହ କରିବାକୁ ରାଜି କରାଯାଇଥିବ ତେବେ​‌ ମଧ୍ୟ ତାହା ଅମାନ୍ୟ। କିଛି ଏଭଳି ବିବାହକୁ ଅଦାଲତ ଅମାନ୍ୟ କରିଥାଏ। ଏମିତିରେ ଯେତେବେଳେ ଅଦାଲତରୁ ଅମାନ୍ୟ ଘୋଷିତ ହୋଇନାହିଁ ସେପର୍ଯ୍ୟନ୍ତ ବିବାହ ମାନ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.