ବାଲେଶ୍ୱର ଜିଲ୍ଲା ହସ୍ପିଟାଲରୁ ପୁଣି ଶିଶୁ ଚୋରି, ଥାନାରେ ଅଭିଯୋଗ

Published By : Prameya-News7 Bureau | June 10, 2024 IST

ବାଲେଶ୍ୱର ୧୦।୦୬ : ବାଲେଶ୍ୱର ଜିଲ୍ଲା ହସ୍ପିଟାଲ  ମା ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପୁଣି ଏକ ଶିଶୁ ଚୋରି । ସୋମବାର ସକାଳେ ଏକ ନବଜାତକ ଚୋରି ହୋଇଥିବା ଅଭିଯୋଗ ଆସିଛି । ଅଭିଯୋଗ ପରେ ପୋଲିସ ଯାଞ୍ଚ ଆରମ୍ଭ । 

ଖବର ଅନୁଯାୟୀ, ବାଲିଆପାଳ ଥାନା କୁଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ରବିବାର ବିଳମ୍ବିତ ରାତିରେ ଡେଲିଭରି ପାଇଁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ଅନିତାଙ୍କ ଶାଶୁ ଓ ସ୍ଥାନୀୟ ଆଶାକର୍ମୀ ସଂଧ୍ୟାରାଣୀ ଜେନା ଥିଲେ। ରାତି ପ୍ରାୟ ୧୨ଟାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ହେଲେ ସୋମବାର ସକାଳେ ସେଠାରେ ଜଣେ ଅଜଣା ମହିଳା ଆସି ପହଁଚି ତାଙ୍କ ପିଲାକୁ ଧରାଧରି କରିଥିଲେ । ପରେ ଆଶାକର୍ମୀ ସନ୍ଧ୍ୟାରାଣୀଙ୍କ ସହ ବୁଲାବୁଲି କଥାବାର୍ତ୍ତା କରୁଥିଲେ। ଏହାପରେ ଆଶାକର୍ମୀ ଏବଂ ଅନିତାଙ୍କ ଶାଶୁ ୱାର୍ଡରେ ନଥିବା ବେଳେ ଅଜଣା ମହିଳା ଜଣକ ସେଠାକୁ ଯାଇ ପିଲାଟିକୁ ଡାକ୍ତର ପାଖକୁ ନେବାକୁ କହି ବେଡରୁ ନେଇଥିଲେ। ହେଲେ ପରେ ଆଉ ବେଡକୁ ଫେରିନଥିଲା। ଏନେଇ ଜାଣିବା ପରେ ହସ୍ପିଟାଲ ଫାଣ୍ଡିରେ ଅନିତାଙ୍କ ଶାଶୁଘର ଲୋକେ ପିଲା ଚୋରି ନେଇ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ହସ୍ପିଟାଲ ସିସି କ୍ୟାମେରା ଯାଞ୍ଚ କରି ଅଜଣା ମହିଳାଙ୍କ ଗତିବିଧିର ଭିଡିଓ ଜବତ କରିଥିବା ବେଳେ ଆଶାକର୍ମୀ ଓ ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚୁରା କରିଥିବା ଦେଖାଯାଇଛି। ଏହାପୂର୍ବରୁ ଗତ ୪ ତାରିଖରେ ଏହି ହସ୍ପିଟାଲରେ ଏକ ନବଜାତ ଶିଶୁ ଚୋରି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.