ବିଦ୍ୟୁତ ଆଘାତରେ ଦୁଇ ହାତ ହରାଇଲା ଶିଶୁ, ମେଡିକାଲ୍ ଖର୍ଚ୍ଚରେ ସର୍ବସ୍ଵାନ୍ତ ପରିବାର, ସରକାରୀ ସହାୟତା ଏକ ମାତ୍ର ଭରସା
22/08/2022 at 9:37 PM

ଦେବଗଡ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ବରଡାନାଳୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶିଶୁ ନିଜର ଦୁଇ ହାତ ହରାଇଛି। ହାତ କଟାଯିବା ସହ ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଶିଶୁଟିର ଚିକିତ୍ସା ଚାଲିଥିବା ବେଳେ ଟଙ୍କା ସରିଥିବା ଯୋଗୁଁ ପରିବାର ଲୋକେ ତାକୁ ଘରକୁ ଫେରାଇ ଆଣିଛନ୍ତି । ସୋମବାର ସଂପୃକ୍ତ ଶିଶୁକୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ଏବେ ପରିବାର ଲୋକଙ୍କୁ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା।
ଏହି ଘଟଣା ପରେ ବିଦ୍ୟୁତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ କୌଣସି ସାହାଯ୍ୟ ଦିଆଯାଇନଥିବା ବେଳେ ବିଜୁ ସ୍ବାସ୍ଥ୍ୟ କାର୍ଡ ଏବଂ ଧାର କରଜ କରି ପରିବାର ପକ୍ଷରୁ ତାର ଚିକିତ୍ସା କରାଯାଉଥିଲା। ହାତରେ ଥିବା ଟଙ୍କା ସରିଯିବା ପରେ ତଥା ବିଜୁ ସ୍ବାସ୍ଥ୍ୟ କାର୍ଡରେ କୌଣସି ବୈଷୟିକ ତୃଟି ଯୋଗୁଁ ଘରୋଇ ମେଡିକାଲ ଶିଶୁକୁ ଚିକିତ୍ସା ଅଧାରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ପରେ ପରିବାର ପକ୍ଷରୁ ଶିଶୁକୁ ପୁଣିଥରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଲକ୍ଷ୍ମୀପୁର ଗ୍ରାମ ବରଡାନାଳୀ ଅଞ୍ଚଳର ଜିଲୁ ମାଝୀଙ୍କ ସାତ ବର୍ଷ ବୟସ୍କ ପୁଅ ମୁନା ମାଝୀ ଜୁଲାଇ ୧ ତାରିଖ ରଥଯାତ୍ରା ଦିନ ସମ୍ପର୍କୀୟ ପବନୀ ବେହେରା ଙ୍କ ଘରକୁ ଯାଇଥିଲା। ତାଙ୍କ ଛାତ ଉପରେ ଖେଳୁଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ଧରିଦେଇଥିଲା। ଫଳରେ ହାତ ଦୁଇଟି ପୋଡିଯାଇଥିବା ବେଳେ ପରିବାର ପକ୍ଷରୁ ତାକୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଛତାବର ଡାକ୍ତରଖାନା ଓ ପରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଦେବଗଡ ଡାକ୍ତରଖାନାରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ମୁନାକୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ମୁନାକୁ କଟକ ବଡ ଡାକ୍ତରଖାନା ଏବଂ ପରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ନ ସୁଧୁରିବାରୁ ଜୁଲାଇ ୨୦ ତାରିଖରେ ସେହି ଘରୋଇ ମେଡିକାଲରେ ହିଁ ମୁନାର ହାତ ଦୁଇଟିକୁ କଟାଯାଇଥିବା ଜଣା ପଡିଛି। ତେଣେ ଟଙ୍କା ସରିଯିବାରୁ ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡରେ କୌଣସି ବୈଷୟିକ ତୃଟି ଯୋଗୁଁ ଘରୋଇ ମେଡିକାଲ ଶିଶୁକୁ ଚିକିତ୍ସା ଅଧାରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।
ଛୁଆର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲି ବୁଲି ପରିବାର ଲୋକେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ବାନ୍ତ ହୋଇସାରିଲେଣି। ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ପରିବାର ଛୁଆର ଅବସ୍ଥା ଦେଖି ଭାଙ୍ଗି ପଡିଲେଣି। ଏନେଇ ଜିଲୁ ମାଝୀ ଶିଶୁର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଭିକ୍ଷା କରିଛନ୍ତି।