ଖେଳୁ ଖେଳୁ ଚାଲିଗଲା ଶିଶୁ ପୁତ୍ରର ଜୀବନ; ବାହୁନି ବାହୁନି କାନ୍ଦୁଛି ମା...

Published By : Prameya-News7 Bureau | January 09, 2023 IST

ଲମତାପୁଟ ୦୯/୦୧: ମା ଆଖି ଆଗରେ ଚାଲିଗଲା ଶିଶୁ ପୁତ୍ରର ଜୀବନ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖଦନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ଅଭାବନୀୟ ଘଟଣା ଲମତାପୁଟ ମାଳୀସାହି ପେଟ୍ରୋଲ ପମ୍ପ ଆଗରେ ଦେଖିବାକୁ ମିଳିଛି। ପୁଅ ଚାଲିଯିବା ଦେଖି ମାର ବୁକୁ ଫଟା ଚିତ୍କାରର ଦୃଶ୍ୟ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଜୀବନ ହରାଇଥିବା ୩ ମାସର ଶିଶୁପୁତ୍ରର ନାଁ ସୁବାସ।

ଖବର ଅନୁସାରେ ବଇଦେଇ ନାମକ ମହିଳା ତାଙ୍କ ଭାଇଙ୍କ ସହ ସୁବାସକୁ ନେଇ ଲମତାପୁଟ ବ୍ଲକ କାଙ୍ଗ୍ରାପଡା ଗାଁ କୁ ଦଶା କାର୍ଯ୍ୟରେ ଯାଇଥିଲେ। ସେ ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟ ରାଙ୍ଗିନିଗୁଡା ଗାଁର ବାସିନ୍ଦା। ସୋମବାର ଦଶାହ କାର୍ଯ୍ୟ ସାରି ବଇଦେଇ ତାଙ୍କ ଭାଇଙ୍କ ସହ ବାଇକ୍‌ରେ କାଙ୍ଗ୍ରାପଡାରୁ ବାହାରିଥିଲେ। ଯିବାବେଳେ ଲମତାପୁଟରେ ଥିବା ମାଳିସାହି ପେଟ୍ରୋଲ ଟାଙ୍କିରେ ତାଙ୍କ ଭାଇ ତେଲ ପକାଇଥିଲେ। ସେତେ ପର୍ଯ୍ୟନ୍ତ ଶିଶୁ ପୁତ୍ରଟି ମା କୋଳରେ ଖେଳୁଥିଲା। ପରେ ସେମାନେ ରାସ୍ତାକୁ ଆସିବା ପରେ ହଠାତ ଶିଶୁଟି ରକ୍ତବାନ୍ତି କରିବା ସହିତ ଜୀବନ ହାରିଥିଲା।

ଏହା ଦେଖି ବଇଦେଇ ଧର୍ଯ୍ୟହରା ହୋଇପଡ଼ିଥିଲେ। ସୁବାସର ମୃତ୍ୟୁକୁ ଗ୍ରହଣ କରିନପାରି ଚିତ୍କାର କରି କାନ୍ଦିଥିଲେ। ପରେ ଶିଶୁର ମୃତଦେହକୁ ସେମାନେ ତାଙ୍କ ଗାଁକୁ ନେଇଥିଲେ। ସେଠାରେ ବୈଦେଇଙ୍କ କୋହଭରା କାନ୍ଦ ଦେଖି ସ୍ଥାନୀୟ ଲୋକଙ୍କ ଗହଳି ଜମିଥିଲା। ଏଭଳି ଅଭାବନୀୟ ଘଟଣାକୁ କେହି ସହଜରେ ବିଶ୍ୱାସ କରିନଥିଲେ। କିନ୍ତୁ ମା ସାମ୍ନାରେ ପୁଅର ଏପରି ଅକାଳ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.