ଚିକିତ୍ସା ଅବହେଳାରେ ଶିଶୁ ମୃତ୍ୟୁ ଅଭିଯୋଗ; ଡାକ୍ତରଖାନାରେ ଉତ୍ତେଜନା
21/12/2022 at 8:25 PM

ଜଳେଶ୍ୱର ୨୧/୧୨: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ କରି ଘରୋଇ ଡାକ୍ତରଖାନାରେ ଉତ୍ତେଜନା। ଘଟଣାସ୍ଥଳରେ ପୋଲିସ ମୁତୟନ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ନୂଆବଜାର ହସ୍ପିଟାଲ୍ ରୋଡ୍ ପାଖରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ବୁଧବାର ସକାଳ ୯ଟା ବେଳେ ଝାଡ଼ପିମ୍ପଳ ଗାଁର ପ୍ରଫୁଲ ମାଝୀଙ୍କ ୨ବର୍ଷର ପୁଅ ଅସୁସ୍ଥ ହୋଇଥିଲେ। ତାଙ୍କୁ ପ୍ରଫୁଲ୍ଲ ଚିକିତ୍ସା ପାଇଁ ଡାକ୍ତର ସୈାରଭ ସାହୁଙ୍କ ଘରୋଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଚିକିତ୍ସା ନକରି ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ତାଙ୍କ ପାଥୋଲଜିକୁ ପଠାଇଥିଲେ।
ରିପୋର୍ଟ ଆସିବା ପୂର୍ବରୁ ଅସୁସ୍ଥ ଶିଶୁଟି ଅଚେତ ହୋଇ ଯାଇଥିଲା। ଏହା ଦେଖି ପରିବାର ଲୋକମାନେ ଚିକିତ୍ସା କରିବାପାଇଁ ଡାକ୍ତରଙ୍କୁ କାକୁତିମିନତି ହୋଇଥିଲେ। ତଥାପି ଡାକ୍ତର ଆସି ଚିକିତ୍ସା କରିନଥିଲେ। ଡାକ୍ତର ବହୁ ସମୟ ଧରି ନଆସିବାରୁ ଶିଶୁର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ପାଇଁ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।