ଆଙ୍ଗୁଠିର ଅପରେସନ କରିବାକୁ ଯାଇଥିଲେ, ଜିଭର କରିଦେଲେ ଡାକ୍ତର; ପେଟରେ କଇଁଚି ଛାଡ଼ିଥିବା ହସ୍ପିଟାଲର ନୂଆ କାରନାମା

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: କେରଳର କୋଝିକୋଡ଼ ମେଡିକାଲ କଲେଜ ହସ୍ପିଟାଲରେ ଅବହେଳାର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ଚାରି ବର୍ଷର ଝିଅ ଗୁରୁତର ଚିକିତ୍ସା ତ୍ରୁଟିର ଶିକାର ହୋଇଛି । ଝିଅର ପରିବାର ଲୋକଙ୍କ କହିବା ଅନୁସାରେ ତାର ଗୋଟିଏ ହାତରେ ଛଅ ଆଙ୍ଗୁଠି ଥିଲା । ଏହାକୁ ହଟାଇବା ପାଇଁ ପରିବାର ଲୋକ ଝିଅକୁ ହସ୍ପିଟାଲ ଧରି ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାର ଜିଭର ଅପରେସନ କରିଦେଲେ ।

ମିଡିଆ ରିପୋର୍ଟ ଅନୁସାରେ, ଝିଅର ଜଣେ ସମ୍ପର୍କୀୟ କହିଛନ୍ତି, 'ଆମକୁ କୁହାଯାଇଥିଲା ଯେ ଝିଅର ଛଅ ଆଙ୍ଗୁଠି ମଧ୍ୟରୁ ଗୋଟିଏକୁ ଛୋଟିଆ ସର୍ଜରୀ ଜରିଆରେ ହଟାଯାଇ ପାରିବ, ଏଥିପାଇଁ ଆମେ ରାଜି ହୋଇଥିଲୁ । କିଛି ସମୟ ପରେ, ଯେତେବେଳେ ଝିଅକୁ ବାହାରକୁ ଅଣାଯାଇଥିଲା, ଆମେ ତାର ମୁହଁରେ ପ୍ଲାଷ୍ଟର ଦେଖି ଆଶ୍ଚର୍ଯ୍ୟ ହୋଇଥିଲୁ । କଣ ହୋଇଛି ଆମେ ଜାଣି ନଥିଲୁ । ହାତକୁ ଦେଖିଲା ବେଳେ ଷଷ୍ଠ ଆଙ୍ଗୁଠି ଥିବା ଦେଖିବାକୁ ପାଇଥିଲୁ ।'

ସମ୍ପର୍କୀୟ କହିଛନ୍ତି, 'ଆମେ ଏନେଇ ନର୍ସଙ୍କୁ ଜଣାଇଥିଲୁ ଏବଂ ସେ ଏହା ଶୁଣି ହସିବାକୁ ଲାଗିଥିଲେ । ଆମକୁ କୁହାଗଲା ଯେ ଝିଅର ଜିଭରେ ବି ସମସ୍ୟା ଥିଲା ଏବଂ ତାକୁ ଠିକ୍ କରି ଦିଆଯାଇଛି । ଏହାପରେ ଡାକ୍ତର ଆସି ଭୁଲ୍ ପାଇଁ କ୍ଷମା ମାଗିବା ସହ ଷଷ୍ଠ ଆଙ୍ଗୁଠିକୁ ହଟାଯିବ ବୋଲି କହିଥିଲେ ଏବଂ ଝିଅକୁ ଧରି ଯାଇଥିଲେ ।'

ଖବର ସାମନାକୁ ଆସିବା ପରେ ସମ୍ୱନ୍ଧିତ ଅଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ବି ଚିକିତ୍ସା ଅବହେଳା ପାଇଁ ଏହି ହସ୍ପିଟାଲ ବିବାଦରେ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.