ବଦଳି ପାଇଁ ଚାପ ପକାଇଲେ ଆକ୍ସନ, ସରକାରୀ କର୍ମଚାରୀଙ୍କୁ ମୁଖ୍ୟ ସଚିବଙ୍କ ଚେତାବନୀ

Published By : Prameya-News7 Bureau | November 11, 2024 IST

ଭୁବନେଶ୍ଵର: ଏଣିକି ବଦଳି ପାଇଁ ଚାପ ପକାଇଲେ ଆକ୍ସନ । କଠୋର ଆଭିମୁଖ୍ୟ ଗ୍ରହଣ କଲେ ସରକାର । ଏଣିକି ମନପସନ୍ଦ ସ୍ଥାନକୁ ବଦଳି କିମ୍ବା ପୋଷ୍ଟିଂ ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ମେରିଟ୍ ଲିଷ୍ଟକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ  ଅଧିକାରୀଙ୍କୁ ପୋଷ୍ଟିଂ କରାଯିବ । ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥି ପାଇଁ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । କିଛି କର୍ମଚାରୀ ବଦଳି ପାଇଁ ଚାପ ପକାଉଥିବା ନଜର ଆସିଛି। ଯାହା ଚାକିରି ସର୍ତ୍ତାବଳୀ ନିୟମକୁ ଉଲ୍ଲଂଘନ କରୁଛି। 

ଏହା ସହିତ ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ନିଯୁକ୍ତି ପାଇଁ ବାହ୍ୟ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଅଭ୍ୟାସ ‘ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍‌-୧୯୫୯ର ରୁଲ-୨୩ର’ ସିଧାସଳଖ ଉଲ୍ଲଘଂନ।


ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ ନୀତି ଆଧାରରେ କର୍ମଚାରୀମାନଙ୍କ ବଦଳି ଓ ନିଯୁକ୍ତି ଏକ ସାଧାରଣ ପ୍ରକ୍ରିୟା। ତେବେ ଏହି ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଗୁରୁତର ଖରାପ ଆଚରଣ ଭାବେ ବିଚାର କରାଯିବ।  ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ ଚିଠିରେ ଦର୍ଶାଇଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.