ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍- ଜନ ସାଧାରଣଙ୍କୁ ଅସୁବିଧାରେ ନପକାଇ ଆନ୍ଦୋଳନରୁ କ୍ଷାନ୍ତ ରୁହନ୍ତୁ

Published By : Prameya-News7 Bureau | March 17, 2023 IST

ଭୁବନେଶ୍ବର ୧୭।୩: ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ଡ୍ରାଇଭରମାନଙ୍କୁ ନିବେଦନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ଏହା ସତ୍ତ୍ବେ ଡ୍ରାଇଭରମାନଙ୍କ ଧର୍ମଘଟ ଆରମ୍ଭ ହୋଇଥିଲା । ଗୁରୁବାର ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭର ମହାସଂଘ ସହିତ ମୁଁ ଆଲୋଚନା କରିଥିଲି । ଆଲୋଚନା ସକରାତ୍ମକ ଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକ୍ରମେ ଆମେ କହିଥିଲୁ ଯେ, ୩ ମାସ ମଧ୍ୟରେ ସମାଧାନ କରିବୁ । ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୧ ଘଣ୍ଟା ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଜଣାଇବେ । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଛି ।

ପିଲାମାନଙ୍କ ପରୀକ୍ଷା ଚାଲିବା ସମୟରେ ହିଁ ଧର୍ମଘଟ ଚାଲିଛି । ଯାହାକୁ ନେଇ ପିଲାମାନଙ୍କ ମାନସିକସ୍ତରରେ ଚାପ ସୃଷ୍ଟି ହୋଇଛି । ଯାହା ସେମାନଙ୍କ ପରୀକ୍ଷା ଉପରେ ପ୍ରଭାବ ପଡିବ । ଗତ ୨ ଦିନ ଭିତରେ କେତେ ସ୍ଥାନରେ ରୋଡ୍ ବ୍ଲକେଜ ହୋଇଥିଲା । ଯାହା ଫଳରେ ଆମ୍ବୁଲାନ୍ସ ମଧ୍ୟ ଚଳାଚଳ କରିବାରେ ଅସୁବିଧା ହୋଇଥିଲା ।

ରୋଗୀମାନେ ମଧ୍ୟ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ପାରିନାହାନ୍ତି । ସାରା ଦେଶରେ ମାତ୍ର ୩ଟି ରାଜ୍ୟ ଡ୍ରାଇଭରମାନଙ୍କ ଦାବି ସମାଧାନ କରିଛନ୍ତି । ଆମେ ଡ୍ରାଇଭରମାନଙ୍କ ଦାବି ଉପରେ ବିଚାର କରି ୩ ମାସ ମଧ୍ୟରେ ସମାଧାନ କରିବୁ । ମୁଁ ନିବେଦନ କରି ଜନ ସାଧାରଣଙ୍କୁ ଅସୁବିଧାରେ ନପକାଇ ଧର୍ମଘଟରୁ କ୍ଷାନ୍ତ ରୁହନ୍ତୁ ।

ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ଉଚିତ ହେବନି । ଧର୍ମଘଟ ନାଁରେ ପବ୍ଲିକ ସମ୍ପତ୍ତି ନଷ୍ଟ କରିବା ମଧ୍ୟ ଠିକ୍ ନୁହେଁ । ଡ୍ରାଇଭରମାନଙ୍କ ସହିତ କିଛି ଅଣ ଡ୍ରାଇଭର ମଧ୍ୟ ଆନ୍ଦୋଳନ କରୁଛନ୍ତି । ଧର୍ମଘଟ ନାଁରେ ଅଣ ଡ୍ରାଇଭରମାନେ ହିଂସା କରୁଛନ୍ତ । ଏଥିପ୍ରତି ଡ୍ରାଇଭରମାନେ ସଚେତନ ହେବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.