ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ୧୯୫୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ
26/03/2023 at 7:27 PM

ସାନଖେମୁଣ୍ଡି/ଖଲ୍ଲିକୋଟ/ବ୍ରହ୍ମପୁର: ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଆହ୍ବାନ । ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର, ହିଞ୍ଜିଳି ଏବଂ ଛତ୍ରପୁରରେ ସଭା କରିଛନ୍ତି । ୧୯୫୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଋଣ ସହାୟତା ସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି । ମା’ ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆ ରୂପ ପାଇବ ଗଞ୍ଜାମ। ଜିଲ୍ଲା ବିକାଶରେ ଯୋଡି ହେଲା ନୂଆ ଅଧ୍ୟାୟ। ଗଂଜାମକୁ ଏକ ନମ୍ବର ଜିଲ୍ଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ଦିନିକିଆ ଗଂଜାମ ଗସ୍ତରେ ଯାଇ କବିସୂର୍ଯ୍ୟନଗର, ହିଞ୍ଜିଳି ଏବଂ ଛତ୍ରପୁରରେ ସଭା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୨ କୋଟି ୮୯ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏଥିରୁ କବିସୂର୍ଯ୍ୟନଗର ପାଇଁ ରହିଛି ୩୧୬ କୋଟି ଟଙ୍କାର ପ୍ରକଳ୍ପ । ଜିଲ୍ଲାର ୨୨ହଜାର ୨୦୦ ସ୍ବୟଂ ସହାୟିକା ଗୋଷ୍ଠୀର ୨ ଲକ୍ଷ ୨୪ ହଜାର ମିସନ୍ ଶକ୍ତି ମହିଳାଙ୍କୁ ପ୍ରଦାନ କରିଛନ୍ତି ୬୧୯ କୋଟିର ଋଣ ସହାୟତା ।୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ସ୍କୁଲ ରୂପାନ୍ତରଣ, ଶିକ୍ଷା ଓ ସ୍ବାସ୍ଥ୍ୟକ୍ଷେତ୍ରରେ ୨ଟି ମାଇଲ ଷ୍ଟୋନ୍ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି। ସେହିପରି ଗଞ୍ଜାମ ଜିଲ୍ଲାର ୪୭୧ ହାଇସ୍କୁଲ 5Tରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ସବୁ ସ୍କୁଲ 5Tରେ ରୂପାନ୍ତରଣ ହେବ । କବିସୂର୍ଯ୍ୟନଗରରେ SHG ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
କବିସୂର୍ଯ୍ୟନଗର ପରେ ହିଞ୍ଜିଳି ଯାଇଥିଲେ ମୁଖ୍ୟମନ୍ତ୍ରୀ । ମା’ମାନେ ଭଲ କାମ କରୁଥିବା କହିବା ସହ ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଥିଲେ । ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ। ହିଞ୍ଜିଳିରେ ୫୯୦ କୋଟି ଟଙ୍କାରେ ୩୦୦ରୁ ଅଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ୪୬୮୮ ଜଣଙ୍କୁ ଜମି ପଟା ପ୍ରଦାନ କରାଯାଇଥିଲା । ଅପରାହ୍ଣରେ ଛତ୍ରପୁରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଛତ୍ରପୁର ପାଇଁ ମୋଟ ୧୦୪୮ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟର ୨୧୮ଟି ପ୍ରକଳ୍ପର ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ୩୬୮୯ ହିତାଧିକାରୀ ଘର ପଟା ବଣ୍ଟନ କରିଥିଲେ । ୬୦ ହଜାର ୩୫୦ ମହିଳାଙ୍କୁ ୧୮୧ କୋଟି ୨୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ । ମିଶନ ଶକ୍ତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ 5T ସଚିବ ଭି କେ ପାଣ୍ଡିଆନ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ଉପସ୍ଥିତ ଥିଲେ।