ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ
26/03/2023 at 8:05 AM

ଭୁବନେଶ୍ୱର ୨୬/୦୩ : ରବିବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗର, ହିଞ୍ଜିଳି ଏବଂ ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମେ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବଡ଼ ଆଗୁଳ ନିକଟରେ ଏକ ସଭାରେ ଯୋଗଦେବେ । ପରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିର କଞ୍ଚୁଡ଼ୁରେ ଆୟୋଜିତ ସଭାରେ ଯୋଗଦେଇ ନବୀନ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଶେଷରେ ଛତ୍ରପୁରରେ ଏକ ସଭାରେ ଯୋଗଦେବେ ।
ମିଶନ ଶକ୍ତି ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧୀକାରୀଙ୍କୁ ପଟ୍ଟା ବଣ୍ଟନ କରିବା ସହ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ କୋଟି କୋଟି ଟଙ୍କାର ବିନା ସୁଦ୍ଧରେ ରୂଣ ପ୍ରଦାନ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହିଞ୍ଜିଳିରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ, କବିସୂର୍ଯ୍ୟନଗର ଏବଂ ଛତ୍ରପୁରରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ମୋଟ ୪୮ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ ।