ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆ ‘ଭାଷା ଆଇନ୍‌’ ପୁସ୍ତକ ଉନ୍ମୋଚିତ

Published By : Prameya-News7 Bureau | December 23, 2022 IST

ଭୁବନେଶ୍ୱର ୨୩/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡ଼ିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସମ୍ପାଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡ଼ିଆ ସରକାରୀ ଭାଷା ଆଇନ  ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ବହିଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି।

ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟରେ ପୁସ୍ତକଟିକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ ଓ ସବୁଠାରୁ ବଡ ପରିଚୟ। ଓଡ଼ିଆ ଭାଷା ବହୁ ପୁରୁଣା ଭାଷା ଏବଂ ଏହି ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡ଼ିଶା ଗଠିତ ହୋଇଥିଲା। ଯୁବ ସମାଜ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଦର ବଢ଼ାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ।୫ଟି ସଚିବ ଭିକେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବିଶିଷ୍ଟ ପ୍ରକାଶକ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଭାଷା ଆନ୍ଦୋଳନର ଆବାହକ ଶ୍ରୀ ପବିତ୍ର ମହାରଥା ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପି.କେ. ଜେନା ଉପସ୍ଥିତ ଥିଲେ। ବିଶିଷ୍ଟ ଭାଷାବିତ୍‌ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ଭଗବାନ ପ୍ରକାଶ, ପ୍ରମେୟର ସମ୍ପାଦକ ଗୋପାଳ ମହାପାତ୍ର, ପ୍ରଗତୀବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ  ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.