ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଗୁରୁତ୍ୱ ସ୍ୱାଗତଯୋଗ୍ୟ, ମନରେଗାରେ ପାଣ୍ଠି ହ୍ରାସ ଚିନ୍ତାଜନକ; ବଜେଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା
1/02/2023 at 9:24 PM

ଭୁବନେଶ୍ୱର: ବୁଧବାର ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟ ଉପରେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କିଛି ପଦେକ୍ଷପକୁ ପ୍ରଶଂସନୀୟ କହିଥିବା ବେଳେ କେତେକ ଦିଗରେ ଅଣାଦେଖା ଚିନ୍ତା ଜନକ ବୋଲି କହିଛନ୍ତି ।
ବଜେଟରେ ପୁଞ୍ଜି ନିବେଶକୁ ବୃଦ୍ଧି, ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଫୋକସ୍ ଦିଆଯିବା ପ୍ରଶଂସନୀୟ ପଦକ୍ଷେପ । ଏହା ବିକାଶକୁ ଗତି ଦେବା ସହ ଗ୍ରାମାଞ୍ଚଳରେ ସାମାଜିକ ପ୍ରଭାବ ପକାଇବ । ମିଲେଟ୍ ଉପରେ ପ୍ରଧାନମନ୍ତ୍ରୀ ଭରସା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି ।ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ।
ବଜେଟରେ ନୂତନ ଟେକ୍ନୋଲଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ଇଣ୍ଟରନେଟକୁ ଫୋକସ ଦିଆଯିବା ପ୍ରଶଂସନୀୟ । ଜନଜାତିଙ୍କ ଉପରେ ବଜେଟରେ ପ୍ରଧାନ୍ୟ ଦିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାସହ ମୁଖ୍ୟମନ୍ତ୍ରୀ ବଜେଟର ଅନ୍ୟ ଦିଗ ଉପରେ କହିଛନ୍ତି ଯେ ମନରେଗାରେ ପାଣ୍ଠି ହ୍ରାସ ଗରିବ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିବ । ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ୍ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୁଳଙ୍କୁ ବାଧିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଏ ବଜେଟରେ ମାତ୍ର ୬୦ ହଜାର କୋଟି ବରାଦ ହୋଇଛି ।ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କ୍ଷେତ୍ରରେ ଏହା ବଡ଼ ବାଧକ ସାଜିବ ।
ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କଡ଼ା ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଓଡିଶା ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଓକିଲାତି କରୁଛନ୍ତି । ବଜେଟରେ ଏଥିପାଇଁ କେନ୍ଦ୍ର ବଜେଟରେ ମାତ୍ର ୭ ହଜାର ୨ ଶହ କୋଟି ସାରା ଦେଶ ପାଇଁ ବରାଦ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି ।