ସଂସଦ ଭବନର ସମାରୋହ ପରେ ନୀତି ଆୟୋଗ ବୈଠକକୁ ବର୍ଜନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
24/05/2023 at 5:47 PM

କୋଲକାତା: ମେ ୨୭ରେ ନୂଆଦିଲ୍ଲୀରେ ନୀତି ଆୟୋଗଙ୍କ ବୈଠକ ହେବାକୁ ଯାଉଛି। ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି ଜଣା ପଡ଼ିଛି। ପ୍ରଥମ ଥର ମମତା ଏହିପରି ନିଷ୍ପତ୍ତି ନେଇ ନାହାନ୍ତି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ। ସେ କହିଛନ୍ତି ଏମିତି ବୈଠକରେ ଯୋଗ ଦେବା ପଶ୍ଚିମବଙ୍ଗ ପାଇଁ ଫଳପ୍ରଦ ହେଉନାହିଁ।
ମମତା ବାନାର୍ଜୀ କେନ୍ଦ୍ରରେ ନେତୃତ୍ଵାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ସମାଲୋଚନା କରି କହିଛନ୍ତି, ନୀତି ଆୟୋଗର ଅନେକ ପ୍ରମୁଖ ଉନ୍ନତିମୂଳକ କାମ ପାଇଁ ରାଜ୍ୟଗୁଡ଼ିକୁ କିଛି କ୍ଷମତା ପ୍ରଦାନ କରିବାକୁ ଦାବି କରିଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ହେଉ ନାହିଁ। ଏପରିକି କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ତାର ପ୍ରାପ୍ୟ ପ୍ରଦାନ କରୁନଥିବା ମମତା ଅଭିଯୋଗ କରିଛନ୍ତି।

ନୀତି ଆୟୋଗ ବୈଠକରେ ଯୋଗ ନଦେବାର ମମତା ବାନାର୍ଜୀଙ୍କ ଏହି ନିଷ୍ପତ୍ତି ଠିକ୍ ସେହି ସମୟରେ ଆସିଛି ଯେବେ ଟିଏମସି ମେ ୨୮ରେ ସଂସଦର ନୂତନ ଭବନ ଉଦଘାଟନୀ ସମାରୋହକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଟିଏମସିର ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାଏନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦଘାଟନ କରିବା ଏହା ଦର୍ଶାଉଛି ଯେ, ଏହା କେବଳ ମୁଁ, ମୋର ଏବଂ ମୋ ପାଇଁ।
ପାର୍ଲିଆମେଣ୍ଟ କେବଳ ମାତ୍ର ନୂତନ କୋଠା ନୁହେଁ। ଏହା ଭାରତର ପରମ୍ପରା ମୂଲବୋଧ, ଦେଶକୁ ଗଢିବାର ଏବଂ ନିୟମ ପ୍ରଣୟନ କରିବାର ଏକ ମନ୍ଦିର। ଏହା ଭାରତୀୟ ଗଣତନ୍ତ୍ରର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବୁଝି ପାରୁ ନାହାନ୍ତି ବୋଲି ଟିଏମସି ନେତା କହିଛନ୍ତି।