ରାଜ୍ୟର ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ୫ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 04, 2023 IST

ଭୁବନେଶ୍ୱର ୦୪/୦୧: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବାର ନିରନ୍ତର ବିକାଶ ପାଇଁ ୫ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏହି ଅଧିକାରୀମାନଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟ ସରକାରଙ୍କର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ୍ ଡାକ୍ତରଖାନାର ସୁପରିଚାଳନା ଓ ବିକାଶ ପାଇଁ ସଞ୍ଜୟ ସେଠିଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୁଷ୍ପାଞ୍ଜଳି ରଣା, କେ ଶାନ୍ତି ଓ ରଞ୍ଜନ ବିଶ୍ୱାଳଙ୍କୁ ଯଥାକ୍ରମେ ବିଏସକେୱାଇ, ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ବରହମପୁର ଏବଂ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

ସେହିପରି କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ୨ ଜଣ ପରାମର୍ଶଦାତାଙ୍କୁ ନିଯୁକ୍ତି ମିଳିଛି। ଏହି ଦୁଇ ଅଧିକାରୀ ହେଲେ ଦିଲ୍ଲୀପ କୁମାର ସାହୁ ଓ ସ୍ୱାପ୍ନାରାଣୀ ପାତ୍ର।

ନୂଆ ନିଯୁକ୍ତି ପାଇଥିବା ସମସ୍ତ ପରାମର୍ଶଦାତାମାନେ ଅବୈତନିକ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଅଧିକାରୀମାନେ ବିନା ଦରମାରେ କାମ କଲେ ବି ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ସେମାନଙ୍କୁ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇଦିଆଯିବ। ଏନେଇ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.