ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟରେ ଗୁରୁବାର(ଅଗଷ୍ଟ ୧୦)ଚାଲିଥିବା ପଞ୍ଚମ ଦିନର ଶୁଣାଣିରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।
ଭାରତ ସହିତ ମିଶିଯିବା ପରେ ଜାମ୍ମୁ କାଶ୍ମୀରର ସାର୍ବଭୌମତ୍ୱ ଶେଷ ହୋଇଯାଇଛି। ତେବେ ଏହା ସତ ଯେ ରାଜ୍ୟରେ ଥିବା କିଛି ପ୍ରସଙ୍ଗରେ ସଂସଦରେ ଆଇନ ତିଆରି କରାଯାଇପାରି ନଥାନ୍ତା। ହେଲେ ଏଥିରେ ଭାରତ ସହ ଜାମ୍ମୁ କାଶ୍ମୀରର ସମ୍ପର୍କକୁ ପ୍ରଭାବିତ ହୋଇ ନଥାନ୍ତା। ଭାରତରେ ମିଶ୍ରଣର ଅର୍ଥ ହେଲା ଜାମ୍ମୁ କାଶ୍ମୀର ଏହାର ସାର୍ବଭୌମତ୍ୱକୁ ଭାରତ ହସ୍ତାନ୍ତର କରିଛି ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।
ଜାମ୍ମୁ-କଶ୍ମୀର ବାର୍ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଜାଫର ଶାହାଙ୍କ ତର୍କ ଶୁଣିବା ପରେ ଏପରି ଟିପ୍ପଣୀ କରିଛନ୍ତି ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡ଼। ଜାଫର ଶାହାଙ୍କ କହିବା କଥା ଥିଲା ଯେ ଜାମ୍ମୁ କାଶ୍ମୀର ପାଖରେ 'ସାମ୍ବିଧାନିକ ସ୍ୱାଧୀନତା' ଥିଲା। ସଂସଦ ଦ୍ୱାରା ପାରିତ ପ୍ରତ୍ୟେକ ଆଇନ ସେଠାରେ କାର୍ଯ୍ୟକାରୀ ହୋଇପାରୁ ନଥିଲା। ଜାଫରଙ୍କ ଏପରି ବୟାନ ଶୁଣିବା ପରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ପ୍ରଧାନ ବିଚାରପତି
ଗୁରୁବାର ଦିନ ମାମଲାର ଶୁଣାଣି ଚାଲିଥିବା ବେଳେ ୫ ଜଣ ବିଚାରପତିଙ୍କ ଖଣ୍ଡପୀଠର ସଦସ୍ୟ ଜଷ୍ଟିସ ସଞ୍ଜୟ କିଶନ କୌଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୌଲ କହିଛନ୍ତି " ଧାରା ୩୭୦କୁ କେବେ ବି ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି କହିବା ଭୁଲ୍ ହେବ। ତେବେ ଆମେ କେବଳ ଏହା ଦେଖିବୁ ଯେ ସରକାର ଏହାକୁ ଉଚ୍ଛେଦ କରିବାକୁ ଯେଉଁ ପ୍ରକ୍ରିୟା ଆପଣାଇ ଥିଲେ ତାହା ଠିକ୍ କି ନାହିଁ।"
ଏହାପୂର୍ବରୁ ଏହି ଶୁଣାଣିର ତୃତୀୟ ଦିନରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। କୋର୍ଟ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ଜନମତ ସଂଗ୍ରହର ପ୍ରଶ୍ନ ଉଠୁ ନାହିଁ। ବରିଷ୍ଠ ଓକିଲ କପିଲ ସିବଲଙ୍କ କ୍ରସ-ପରୀକ୍ଷଣ ସମୟରେ କୋର୍ଟ ଏହା କହିଛନ୍ତି। କଂଗ୍ରେସ ନେତା କପିଲ ଶିବଲ କହିଥିଲେ ଯେ ଜାମ୍ମୁ-କାଶ୍ମୀର ବିଶେଷାଧିକାର ଶେଷ କରିବା କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି ଥିଲା। ଏଥିପାଇଁ ରାଜ୍ୟବାସୀଙ୍କ ମତ ନିଆଯାଇ ନଥିଲା। ଏହି ତର୍କରେ କୋର୍ଟ ଏପରି କହିଥିଲେ।