ସତ ହେବାରେ ଲାଗିଛି ଭବିଷ୍ୟତବାଣୀ, ଆମ୍ରପାଲୀ ମାମଲା ମୋତେ ଶୀଘ୍ର ଛାଡିବ ନାହିଁ: ଜଷ୍ଟିସ ୟୁୟୁ ଲଲିତ
22/08/2022 at 10:36 PM

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ସୋମବାର କହିଛନ୍ତି, ଗୋଟିଏ ଭବିଷ୍ୟତବାଣୀ ସତ ହେଉଥିବା ଦେଖିବାକୁ ମିଳୁଛି । ଆମ୍ରପାଲୀ ମାମଲା ମୋତେ ଶୀଘ୍ର ଛାଡିବ ନାହିଁ ।
ଜଷ୍ଟିସ ଲଲିକ ଅଗଷ୍ଟ ୨୭ରେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେପ୍ଟେମ୍ୱର ୩ (ଶନିବାର) ଆମ୍ରପାଲୀ ମାମଲାର ଶୁଣାଣି ସକାଳ ୧୦ଟାରୁ ଅପରାହ୍ଣ ଗୋଟାଏ ଯାଏଁ କରିବେ । ତେବେ, ଏହି ଦିନ ଶୀର୍ଷ ଅଦାଲତରେ ଛୁଟି ରହିଥାଏ ।
ଆମ୍ରପାଲୀ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଲଲିଲ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ପୂର୍ବତନ ନିର୍ଦ୍ଦେଶକ ଶିବ ପ୍ରିୟଙ୍କୁ ତାଙ୍କ ୧୩ ବର୍ଷୀୟ ଝିଅଙ୍କ ଚିକିତ୍ସା ପାଇଁ ଚାରି ସପ୍ତାହର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।
ଅନ୍ତରୀଣ ଜାମିନ ପ୍ରଦାନ କରି ଖଣ୍ଡପୀଠ କହିଥିଲେ ଯେ, ଆର୍ଥିକ ହେରଫେର ସହ ଅନ୍ୟ ଅଭିଯୋଗର ସାମନା କରିଥିବା ଶିବ ପ୍ରିୟ ଚାରି ସପ୍ତାହର ଅବଧି ଶେଷ ହେବା ପୂର୍ବରୁ ଆତ୍ମସମର୍ପଣ କରିବେ ଏବଂ ନିଜ ସ୍ୱାଧୀନତାର ଦୁରୁପଯୋଗ କରିବେ ନାହିଁ।
୨୦୧୮ରୁ ଆମ୍ରାପାଲୀ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଲଲିତ କହିଛନ୍ତି, ‘ଏପରି ଲାଗୁଛି ଯେ ଆଇନଜୀବୀ ଏମଏଲ ଲାହୋଟୀଙ୍କ ଦ୍ୱାରା କରାଯାଇଥିବା ଅଭିଷ୍ୟତବାଣୀ ସତ ହେବାକୁ ଯାଉଛି । ଏହି ଆମ୍ରପାଲୀ ମାମଲା ମୋତେ ଶୀଘ୍ର ଛାଡିବ ନାହିଁ’।