ଘଣ୍ଟୁଆ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା; ଘୋଷ ଯାତ୍ରାରେ ନିୟୋଜିତ ହେବେ ୭୫ ଜଣ ଘଣ୍ଟୁଆ
31/05/2023 at 11:19 PM

ପୁରୀ ୩୧/୦୫: ପବିତ୍ର ସ୍ନାନପୂର୍ଣ୍ଣମୀ ଓ ଘୋଷଯାତ୍ରା ପାଇଁ ଘଣ୍ଟୁଆ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜୁନ୍ ୪ରେ ହେବାକୁ ଥିବା ସ୍ନାନଯାତ୍ରା ବିଜେ ଓ ବାହୁଡ଼ା ପହଣ୍ଡି ବେଳେ ମୋଟ ୭୫ ଜଣ ଘଣ୍ଟୁଆ ରହିବେ। ଏହାସହ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ୩ ରଥ ଚକ ଅନୁସାରେ ପୁରୀ ଓ ଭଟିମୁଣ୍ଡାର ଘଣ୍ଟୁଆ ରହିବେ। ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥରେ ୧୬ ଜଣ ଘଣ୍ଟୁଆ ସେବକ ରହିବାକୁ ଥିବାବେଳେ ଏଥିରେ ୧୦ ଜଣ ପୁରୀ ଏବଂ ୬ଜଣ ଭଟିମୁଣ୍ଡାର ଘଣ୍ଟୁଆ ରହିବେ।

ସେହିପରି ୧୪ ଚକ ବିଶିଷ୍ଟ ତାଳଧ୍ଵଜ ରଥରେ ୯ ଜଣ ପୁରୀ ଘଣ୍ଟୁଆଙ୍କ ସହ ଭଟିମୁଣ୍ଡାର ୫ଜଣ ଓ ୧୨ ଚକ ବିଶିଷ୍ଟ ଦର୍ପଦଳନ ରଥରେ ୮ଜଣ ପୁରୀ ଘଣ୍ଟୁଆଙ୍କ ସହ ୪ ଜଣ ଭଟିମୁଣ୍ଡାର ଘଣ୍ଟୁଆ ସେବକ ରହିବେ ବୋଲି ଘଣ୍ଟୁଆ ନିଯୋଗର ସଭାପତି କହିଛନ୍ତି। ସେପଟେ ସ୍ନାନଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ଚୁଡ଼ାନ୍ତ ହୋଇଥିବା ବେଳେ ଏହାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।