ଚିଦାମ୍ବରମଙ୍କୁ ସାମାନ୍ୟ ଆଶ୍ୱସ୍ତି, ପ୍ରବର୍ତନ ନିର୍ଦେଶାଳୟର ମାମଲାରେ ଗିରଫଦାରୀ ଉପରେ ବୁଧବାର ପର୍ଯ୍ୟନ୍ତ ରୋକ ଲଗାଇଲେ ଅଦାଲତ

Published By : Prameya-News7 Bureau | August 27, 2019 IST

ନୂଆଦିଲ୍ଲୀ .- ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତାଙ୍କୁ ଗିରଫ ହେବାର ମିଳିଥିବା ମହଲତକୁ ବୁଧବାର ପର୍ଯ୍ୟନ୍ତ ଅଦାଲତ ବୃଦ୍ଧି କରିଛନ୍ତି । ଇଡି ମାମଲାରେ ବୁଧବାରରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଜାରି ରହିବ । ପ୍ରବର୍ତନ ନିର୍ଦେଶାଳୟ ଦ୍ୱାରା ତାଙ୍କ କରାଯାଇଥିବା ଜେରାର ଲିଖିତ ବିବରଣୀ ଦେବା ପାଇଁ ଅଦାଲତରେ ଚିଦାମ୍ବରମ ଆବେଦନ କରିଥିଲେ ।

ଜଷ୍ଟିସ ଆର୍‌ ଭାନୁମତି ଓ ଜଷ୍ଟିସ ଏ ଏସ୍‌ ବୋପାନ୍ନାଙ୍କୁ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଚିଦାମ୍ବରମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଉପସ୍ଥାପନ କରିଥିଲେ । ଏଥିରେ ଗତ ବର୍ଷ ଡିସେମ୍ବର ୧୯ ଓ ଚଳିତବର୍ଷ ଜାନୁଆରୀ ୨୧ ତାରିଖରେ ତାଙ୍କ ମହକିଲଙ୍କୁ ଇଡି ପକ୍ଷରୁ ପଚରା ଉଚରା କରାଯାଇଥିବା କଥା ସେ ପ୍ରକାଶ କରିଛନ୍ତି ।

ଏହି ଲିଖିତ ଜବାବର ଚିଦାମ୍ବରମ ଉତ୍ତର ଦେବାରୁ ନିଜକୁ ବଞ୍ଚିତ କରାଉଥିଲେ କି ନାହିଁ ତାହା ଜଣା ପଡିଯିବ ବୋଲି କପିଲ୍‌ ସିବଲ କହିଛନ୍ତି । ଚିଦାମ୍ବରମଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅନ୍ୟ ଜଣେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ବି ଖଣ୍ଡପୀଠଙ୍କ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଛରେ ଦସ୍ତାବେଜ ଉପସ୍ଥାପନ କରିହେବ ନାହିଁ , ଏଥିପାଇଁ ସେ ସାମ୍ବିଧାନିକ ଓ ଆଇନରେ ଥିବା ପ୍ରାବଧାନକୁ ଉପସ୍ଥାପନ କରାଇଥିଲେ ।

ଦିଲ୍ଲୀ ହାଇକୋର୍ଟରେ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ନାମଞ୍ଜୁର କରାଯିବା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହେଉଛି । ୟୁପିଏ ସରକାର ସମୟରେ ଚିଦାମ୍ବରମ ଅର୍ଥ ମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ । ୨୦୧୭ ମସିହାରେ ଆଇଏନ୍‌ଏକ୍ସ ମିଡିଆ ପ୍ରସଙ୍ଗରେ ଇଡି ମାମଲା ରୁଜି କରିଥିଲା । ଏଥିରେ ୩୦୫ କୋଟି ଟଙ୍କା ବିଦେଶୀ ପୁଞ୍ଜି ନିବେଶ ପାଇଁ ସଂବର୍ଦ୍ଧନ ବୋର୍ଡର ମଞ୍ଜୁରୀ ପାଇଁ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଚିଦାମ୍ବରମ ଏବେ ସିବିଆଇ ହେପାଜତର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.