ଛେତ୍ରୀ ଯୁଗର ଅବସାନ, ୧୯ ବର୍ଷର କ୍ୟାରିୟରରେ ପଡିଲା ପୂର୍ଣ୍ଣଛେଦ

Published By : Prameya-News7 Bureau | June 07, 2024 IST

କୋଲକାତା ୦୭/୦୬: ଫିଫା ଯୋଗ୍ୟତା ପର୍ଯ୍ୟାୟରେ ଭାରତ-କୁଏତ ମ୍ୟାଚ୍‌ ଗୋଲଶୂନ୍ୟ ଅମୀମାଂସିତ ରହିବା ସହ ଏକ ଯୁଗର ଅବସାନ ଘଟିଛି । ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଏହା ଥିଲା ଶେଷ ମ୍ୟାଚ୍‌ । ସଲ୍ଟ ଲେକ୍‌ ଷ୍ଟାଡିୟମ ଖେଳ ଆରମ୍ଭ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରି ଉଠିଥିଲା । ତ୍ରିରଙ୍ଗାରେ ରଙ୍ଗୀନ ହୋଇଯାଇଥିଲା ପୂରା ଷ୍ଟାଡିୟମ । 

ଛେତ୍ରୀ.. ଛେତ୍ରୀ ଧ୍ୱନିରେ କମ୍ପୁଥିଲା ପରିବେଶ, ବେଶ ଉତ୍ସାହିତ ଥିଲେ ଘରୋଇ ଖେଳାଳି । ଅଧିନାୟକଙ୍କ ପାଇଁ ଶେଷ ମ୍ୟାଚ୍‌

ଜିତିବା ନେଇ ସବୁ ଶକ୍ତି ଲଗାଇ ଦେଇଥିଲେ । କିନ୍ତୁ ଭ୍ରମଣକାରୀ କୁଏତ ବି ଦେଇଥିଲା କଡ଼ା ଟକ୍କର ଏବଂ ଶେଷରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ମ୍ୟାଚ୍‌ ଗୋଲଶୂନ୍ୟ ଡ୍ର’ରେ ଶେଷ ହୋଇଥିଲା । ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ । 

ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌ ଏ’ର ପଏଣ୍ଟ ତାଲିକାରେ କତାର ୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଭାରତ ୫ ପଏଣ୍ଟ ପାଇ ଦ୍ୱିତୀୟ ଏବଂ ୪ ପଏଣ୍ଟ ଲେଖାଏଁ ପାଇ କୁଏତ ଓ ଆଫଗାନିସ୍ତାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିରାଟ ଶୂନ୍ୟ ସ୍ଥାନ ଛେତ୍ରୀଙ୍କ ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ଭାରତୀୟ ଦଳରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ସେ ଟିମ୍‌ ଇଣ୍ଡିଆର ଅଧିନାୟକ ରହିବା ସହ ଶ୍ରେଷ୍ଠ ଫରୱାର୍ଡ ଥିଲେ । 

ଆଗାମୀ ଏକ ଦଶନ୍ଧି ମଧ୍ୟରେ ବି ତାଙ୍କ ସ୍ଥାନ ପୂରଣ ହେବା ଏକ ପ୍ରକାର କଷ୍ଟକର । ୩୯ ବର୍ଷ ବୟସରେ ବି ଛେତ୍ରୀ ଯୁବ ଖେଳାଳିଙ୍କ ଭଳି ଫିଟ୍‌ ଏବଂ କ୍ଷୀପ୍ର ରହିଛନ୍ତି । କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁ ସେ ସନ୍ନ୍ୟାସ ନେଉଥିବା ବିଷୟ ପୂର୍ବରୁ କହିଥିଲେ । ୨୦୦୫ରେ ସେ ଅନ୍ତର୍ଜାତୀୟ ଫୁଟବଲରେ ପଦାର୍ପଣ କରିଥିଲେ । ଏପର୍ଯ୍ୟନ୍ତ ସେ ୧୫୨ଟି ମ୍ୟାଚ୍‌ ଖେଳି ୯୪ଟି ଗୋଲ୍‌ ଦେବାରେ ସଫଳ ହୋଇଥିଲେ । 




ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ୍‌ ସ୍କୋର କରିବାରେ ଛେତ୍ରୀ ହେଉଛନ୍ତି ବିଶ୍ୱର ଚତୁର୍ଥ ଖେଳାଳି । ତାଙ୍କ ଉପରକୁ ତୃତୀୟ ସ୍ଥାନରେ ରହିଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୬), ଦ୍ୱିତୀୟ ସ୍ଥାନରେ ଇରାନର ଅଲି ଦାଏଇ (୧୦୮) ଏବଂ ଶୀର୍ଷ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୬) । ଗତ ମାସ ୧୬ ତାରିଖରେ ଛେତ୍ରୀ ଭୁବନେଶ୍ୱରରେ

ଅବସର ଘୋଷଣା କରିଥିଲେ । 

ସୋସିଆଲ ମିଡିଆରେ ୧୦ ମିନିଟର ଭିଡିଓ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସନ୍ନ୍ୟାସ ନେବା ସଂପର୍କରେ ଅବଗତ କରାଇଥିଲେ । ଏହାର ପୂର୍ବଦିନ ସେ ଭାରତୀୟ ଶିବିରରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେ କହିଥିଲେ, ‘ଏକ ସୁନ୍ଦର ସ୍ୱପ୍ନରେ ଥିଲି, ଯାହା ଶେଷ ହେବାକୁ ଯାଉଛି । ନିଜକୁ ଭାଗ୍ୟବାନ ମନେ କରୁଛି ଯେ ଦୀର୍ଘ ୧୯ ବର୍ଷ ଧରି ଭାରତୀୟ ଦଳର ଅଂଶ ବିଶେଷ ହୋଇ ରହିଥିଲି । ଦେଶ ପାଇଁ ଖେଳିବା ଗୌରବର କଥା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.