ପତ୍ନୀ ସହ ବଳପୂର୍ବକ କିମ୍ବା ତା ଇଚ୍ଛା ବିରୋଧରେ ଶାରୀରିକ ସମ୍ବନ୍ଧ ରଖିବା ଦୁଷ୍କର୍ମ ନୁହେଁ- ଛତିଶଗଡ ହାଇକୋର୍ଟ

Published By : Prameya-News7 Bureau | August 26, 2021 IST

ରାୟପୁର ୨୬/୦୮ : ଛତିଶଗଡ଼ ହାଇକୋର୍ଟ ସ୍ୱାମୀ ସ୍ତ୍ରୀ ଦୁଷ୍କର୍ମ ମାମଲାରେ ଏକ ବଡ ରାୟ ଦେଇଛନ୍ତି। ମାମଲାରେ ଛତିଶଗଡ଼ ହାଇକୋର୍ଟ କହିଛନ୍ତି ଯେ ଆଇନଗତ ଭାବେ ବିବାହିତା ପତ୍ନୀ ସହ ବଳପୂର୍ବକ କିମ୍ବା ପତ୍ନୀର ଇଚ୍ଛା ବିରୋଧରେ ଯୌନ ସମ୍ବନ୍ଧ ରଖିବା ବଳାତ୍କାର ନୁହେଁ। ତେବେ ଏଥିପାଇଁ ପତ୍ନୀର ବୟସ ୧୮ ବର୍ଷରୁ କମ ନ ହେବା ଉଚିତ। ହାଇକୋର୍ଟ ଏହି ମାମଲାରେ ସ୍ୱାମୀକୁ ଦୁଷ୍କର୍ମ ଆରୋପରୁ ମୁକ୍ତ କରିଦେଇଛନ୍ତି। କିନ୍ତୁ ଏହି ମାମଲାରେ ପତ୍ନୀଙ୍କ ଅନ୍ୟାନ୍ୟ ଅଭିଯୋଗକୁ ନେଇ ଆରୋପ ଧାର୍ଯ୍ୟ ହୋଇଛି ଯେଉଁଥିରେ ପତ୍ନୀ ସ୍ୱାମୀ ତାଙ୍କ ସହ ଅପ୍ରାକୃତିକ କୃତ୍ୟ କରିଥିବା ଆରୋପ ଲଗାଇଥିଲେ। ଛତିଶଗଡ଼ ହାଇକୋର୍ଟ ବିଚାରପତି ଏନ.କେ.ଚନ୍ଦ୍ରବଂଶୀଙ୍କ କୋର୍ଟ ଏହି ରାୟ ଦେଇଛନ୍ତି।

ବେମେତରା ଜିଲ୍ଲାର ଜଣେ ମହିଳା ନିଜର ୩୭ ବର୍ଷୀୟ ସ୍ୱାମୀଙ୍କ ବିରୋଧରେ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିଥିବା ମାମଲା ରୁଜ୍ଜୁ କରିଥିଲେ। ସ୍ୱାମୀ ଓ ଶାଶୂଘରର କିଛି ସଦସ୍ୟଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଅଭିଯୋଗରେ କୁହାଯାଇଥିଲା ଯେ ୨୦୧୭ ରେ ମହିଳାଙ୍କର ବାହାଘର ହୋଇଥିଲା। ବାହାଘର ପରେ ସ୍ୱାମୀ ଅନେକଥର ତାଙ୍କ ଇଛା ବିରୋଧରେ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଛନ୍ତି ଓ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଛନ୍ତି। ମାମଲାରେ ବେମେତରା ସେସନ କୋର୍ଟ ସ୍ୱାମୀ ବିରୋଧରେ ଧାରା ୪୯୮, ୩୭୬, ୩୭୭ ଓ ୩୪ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲା ଯାହା ବିରୋଧରେ ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ।

ଆଇପିସି ଧାରା ୩୭୫ ଅପବାଦ, "ରେ ଭରସା କରି ବିଚାରପତି ଚନ୍ଦ୍ରବଂଶୀଙ୍କ କୋର୍ଟ କହିଛନ୍ତି ଯେ, କୌଣସି ପୁରୁଷ ନିଜ ସ୍ତ୍ରୀ ସହ ଯୌନ ସମ୍ବନ୍ଧ ରଖିବା, ଯାହାର ବୟସ ୧୮ ବର୍ଷରୁ ଅଧିକ ତାହା ବଳାତ୍କାର ନୁହେଁ। ଏହି ମାମଲାରେ ଅଭିଯୋଗକର୍ତ୍ତା ପ୍ରଥମ ଆବେଦକଙ୍କ ଆଇନଗତ ପତ୍ନୀ। ସେଥିପାଇଁ ଅଭିଯୋଗକର୍ତ୍ତା ପତ୍ନୀ ସହ ଯୌନ ସମ୍ବନ୍ଧ ରଖିବା ଅପରାଧ ନୁହେଁ, ସେ ବଳପୂର୍ବକ ହେଉ କିମ୍ବା ପତ୍ନୀ ଇଚ୍ଛା ବିରୋଧରେ ହେଉ। କିନ୍ତୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ଅପରାଧ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.