ବିମାନ ଉଡ଼ାଣରେ କଟକଣା ଦର୍ଶାଇ ଜି-୨୦ ରାତ୍ରୀ ଭୋଜନକୁ ଆସିଲେନି ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଅଭିଯୋଗକୁ ଖଣ୍ଡନ କଲା ଗୃହମନ୍ତ୍ରଣାଳୟ
9/09/2023 at 6:27 PM

ରାୟପୁର: ବିମାନ ଉଡ଼ାଣରେ କଟକଣା ଦର୍ଶାଇ ଜି-୨୦ ରାତ୍ରୀ ଭୋଜନକୁ ଗଲେ ନାହିଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। କହିଲେ ଜି-୨୦ ମହାସମ୍ମିଳନୀ ସମୟରେ ଦିଲ୍ଲୀ ନୋ ଫ୍ଲାଇଂ ଜୋନ୍ ହୋଇଯାଇଛି। ଏବେ କେମିତି ଯିବୁ। ଶୁକ୍ରବାର ବାଘେଲ ଏଭଳି ପ୍ରଶ୍ନ କରିଥିବା ବେଳେ ଆଜି(୯ ସେପ୍ଟେମ୍ବର) ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ।
ଜି -୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଏବଂ ୧୦ ରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ମନ୍ତ୍ରଣାଳୟ କହିଛି। ଜି -୨୦ ସମ୍ମିଳନୀରେ ନେତାଙ୍କ ପାଇଁ ଦିଲ୍ଲୀରେ ସେପ୍ଟେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ଉଚ୍ଚମାନର ବାୟୁ ସୁରକ୍ଷା ଯୋଗାଇ ଦିଆଯାଇଛି। ତେବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବିମାନକୁ ଅନୁମତି ରହିଛି ବୋଲି ଗୃହମନ୍ତ୍ରଣାଳୟ କହିଛି।
ପଢ଼ନ୍ତୁ-ଜି-୨୦ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକାନ୍ ୟୁନିୟନ, ପ୍ରଧାନମନ୍ତ୍ରୀ ମୋଦୀ କଲେ ସ୍ବାଗତ
ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଦିଲ୍ଲୀର ଶିକାର ଅଭିମୁଖେ ଯିବାକୁ ଆବେଦନ କରାଯାଇଥିବା ବେଳେ ତାଙ୍କ ବିମାନକୁ ମଧ୍ୟ ଅନୁମତି ମିଳି ନଥିଲା ବୋଲି ଗେହଲଟ ଦାବି କରିଥିଲେ। ଗୃହମନ୍ତ୍ରଣାଳୟ ଏହାକୁ ବି ଖଣ୍ଡନ କରିଛି। କୌଣସି ହେଲିକପ୍ଟର ଆବେଦନକୁ ଖଣ୍ଡନ କରାଯାଇ ନାହିଁ, ସବୁ ହେଲିକପ୍ଟରକୁ ମନ୍ତ୍ରଣାୟ ଦ୍ୱାରା ଅନୁମୋଦନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗୃହ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଯେ ବାଣିଜ୍ୟିକ ବିମାନ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ଅନୁଦିତ ବିମାନକୁ ଅନୁମତି ରହିଛି। ତେବେ ସ୍ୱତନ୍ତ୍ର ଘରୋଇ ଚାର୍ଟଡ଼ ବିମାନ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକ ରହିଛି।
ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱ ନେତାମାନେ ଦିଲ୍ଲୀରେ ଥିବାରୁ ସୁରକ୍ଷା ଜନିତ ନିୟମ ରହିଛି। ଏହା ପୂର୍ବରୁ ଦିଲ୍ଲୀ ବିମାନବନ୍ଦର ପୂର୍ବରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ପୂର୍ବରୁ ଅନୁମତି ପାଇଥିବା ବିମାନ ଓ ଜି-୨୦ ସମ୍ପର୍କିତ ବିମାନକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିବ। ବାକି କୌଣସି ବିମାନ ଉଡ଼ାଣ ଭରିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।
ସୂଚନା ଥାଉକି ଜି-୨୦ ନେତା ଓ ଅଧିକାରୀଙ୍କ ସମେତ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ଆଜି(ସପ୍ଟେବମ୍ବର ୯) ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଏମାନେ ଯୋଗ ଦେଇଥାନ୍ତେ।