ମାନ୍ଦାବସ୍ଥା ଭୟ : ବଡ ବଡ କମ୍ପାନୀ କଲେଣି ଛଟେଇ, ତାଲିକାରେ ଆପଲ ଓ ମାଇକ୍ରୋସଫ୍ଟ

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ, ୨୩|୦୮: ଏବେ ବଡ ବଡ କମ୍ପାନିଙ୍କୁ ମାନ୍ଦାବସ୍ଥା ଭୟ । ଏହି କମ୍ପାନିଗୁଡିକ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରି ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଆପଲ ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନି ରହିଛନ୍ତି । ଚାଇନାର ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନି ସାଓମି ୯୦୦ରୁ ଅଧିକ କର୍ମଚାରୀଙ୍କୁ ବିଦା କରି ଦେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ମୁତାବକ, ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏହି କମ୍ପାନି ଏହାର ମୋଟ ଶ୍ରମ ଶକ୍ତି ମଧ୍ୟରୁ ପ୍ରାୟ ୩%ଙ୍କୁ ଛଟେଇ କରିଛି । ତେବେ ସାଓମି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

ଗତ କିଛି ଦିନ ହେବ ଭାରତରେ ମଧ୍ୟ ଷ୍ଟାର୍ଟଅପ୍‌ଗୁଡିକ ଛଟେଇ କରିଥିବା ଖବର ସାମ୍ନାକୁ ଆସିଛି । ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ସାରା ବିଶ୍ୱ ଏକ ପ୍ରକାରର ମାନ୍ଦାବସ୍ଥା ଦେଇ ଗତି କରୁଛି । ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ଏବେ ମହଙ୍ଗା ହୋଇଛି । ଦରଦାମ ଚାପ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ବୃଦ୍ଧି କରୁଛି । ଫଳରେ ଅଭିବୃଦ୍ଧି ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି । ଅଭିବୃଦ୍ଧି ପ୍ରଭାବିତ ହେଲେ ମାନ୍ଦାବସ୍ଥା ଆସିବାର ଢ଼େର ସମ୍ଭାବନା ରହିଛି ।

ବିଶ୍ୱର ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା କୁହାଯାଉଥିବା ଆମେରିକାରେ ଅଭିବୃଦ୍ଧି ହ୍ରାସ ଏବଂ ମାନ୍ଦାବସ୍ଥା ଆସିବା ନେଇ ଆଶଙ୍କା କରାଯାଉଛି । ସେଠାରେ ଦରଦାମ ଏବେ ୪୦ ବର୍ଷର ରେକର୍ଡ ସ୍ତର ଟପିଛି । ବିଶ୍ୱ ସ୍ତରରେ କମ୍ପାନିଗୁଡିକ ଯେଉଁ ଭଳି ଛଟେଇ କରୁଛନ୍ତି ତାର ପ୍ରଭାବ ଭାରତ ଉପରେ କିଭଳି ରହିପାରେ ତାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି । କ୍ରଞ୍ଚବେସ୍‌ ପକ୍ଷରୁ ପ୍ରକାଶିତ ଡାଟା ମୁତାବକ, ଜୁଲାଇ ମାସ ସୁଦ୍ଧା ଆମେରିକାରେ ଟେକ୍ନୋଲୋଜି କମ୍ପାନିଗୁଡିକ ୩୨ ହଜାରରୁ ଉଦ୍ଧ୍ୱର୍ ଟେକ୍ନୋଲୋଜି କ୍ଷେତ୍ର ସହ ଜଡିତ ଶ୍ରମ ଶକ୍ତିଙ୍କୁ ଛଟେଇ କରିଛନ୍ତି । ମାଇକ୍ରୋସଫ୍ଟ ଏବଂ ମେଟା ଭଳି କମ୍ପାନିଗୁଡିକ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିଥିବା ନଜରକୁ ଆସିଛି ।

ସେହିଭଳି ଲେଅଫ୍‌ ଡଟ୍‌ ଫାଇ ଡାଟା ମୁତାବକ, ସାରା ବିଶ୍ୱରରେ ଷ୍ଟାର୍ଟଅପ୍‌ଗୁଡିକ କଥା ବିଚାରକୁ ନେଲେ ୩୪୨ ଟେକ୍‌ କମ୍ପାନି ଏବଂ ଷ୍ଟାର୍ଟଅପ୍‌ ୪୩ ହଜାରରୁ ଅଧିକ କର୍ମଚାରିଙ୍କୁ ବିଦା କରିଛନ୍ତି । ନେଟଫ୍ଲିକ୍ସ, ସପିଫାଏ, କଏନବକ୍ସ ଏବଂ ଆଲିବାବା ଭଳି କମ୍ପାନିଗୁଡିକ ମଧ୍ୟ ଖର୍ଚ୍ଚ କାଟ କରିବା ପାଇଁ କର୍ମଚାରୀଙ୍କୁ କିଛି ମାତ୍ରାରେ ହ୍ରାସ କରୁଛନ୍ତି ।

ଦରଦାମ ବୃଦ୍ଧି, ଅର୍ଥନୀତିରେ ମାନ୍ଦାବସ୍ଥା, ଆମେରିକା ଏବଂ ୟୁରୋପରେ ମାନ୍ଦାବସ୍ଥା ଭୟରେ କମ୍ପାନିଗୁଡିକ ଏବେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ରୋକୁଛନ୍ତି । ବିଶେଷ କରି ଟେକ୍ନୋଲୋଜି ନିଯୁକ୍ତି ଏବେ ପ୍ରଭାବିତ ହୋଇଛି । ଅନ୍ୟ କ୍ଷେତ୍ରଗୁଡିକ ଉପରେ ଏହାର ପ୍ରଭାବ ଦେଖାଯାଇନାହିଁ । ଜୁଲାଇରେ ଆମେରିକା ଅର୍ଥନୀତି ୫.୨୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । କିଛି ବଜାର ବିଶେଷଜ୍ଞ କହିଛନ୍ତି ଯେ, ଟେକ୍ନୋଲୋଜି କ୍ଷେତ୍ର ଛଟେଇକୁ ଦେଖି ସବୁ କ୍ଷେତ୍ରରେ ନିଯୁକ୍ତି ହ୍ରାସ ହୋଇଛି ବୋଲି କହି ହେବ ନାହିଁ ।

ଅପରପକ୍ଷରେ ଭାରତୀୟ ଷ୍ଟାର୍ଟଅପ୍‌ ଗୁଡିକ ଗତ ୬ ମାସରେ ୧୨ ହଜାର ଲୋକଙ୍କୁ ଛଟେଇ କରିଛନ୍ତି । ବର୍ଷ ଶେଷ ବେଳକୁ ଏହା ୬୦ ହଜାରରେ ପହଞ୍ଚିପାରେ । ଓଲା, ବ୍ଲିଙ୍କିଟ, ବାୟଜୁସ, ଅନଏକାଡେମି, ବେଦାନ୍ତୁ, କାର୍ସ ୨୪, ମୋବାଇଲ ପ୍ରିମିୟର ଲିଗ୍‌, ଲିଡୋ ଲର୍ଣ୍ଣିଂ, ଏମ୍‌ ଫାଇନ, ଟ୍ରେଲ, ଫରଲେକୋ ଭଳି ଅନ୍ୟ କମ୍ପାନିଗୁଡିକ ମଧ୍ୟ ବର୍ଷ ଶେଷ ସୁଦ୍ଧା ବୃହତ୍ତ ପରିମାଣର ଛଟେଇ କରିବେ ।

ସେୟାରଚାଟ ଏବଂ ମୋଜୋର ଚିଫ୍‌ ଫାଇନାନ୍ସିଆଲ ଅଫିସର ଅଜିତ ଭର୍ଗିଜ କହିଛନ୍ତି ଯେ, ଖର୍ଚ୍ଚ କାଟ କରିବା ପାଇଁ ଭାରତୀୟ ଷ୍ଟାର୍ଟଅପ୍‌ ଏବେ ପ୍ରକ୍ରିୟା ଜାରି କରିଛନ୍ତି । ଏଭଳି ସ୍ଥିତିରେ ଷ୍ଟାର୍ଟଅପଗୁଡିକର ମାର୍କେଟିଂ ଖର୍ଚ୍ଚ ୩୦ରୁ ୪୦% କିମ୍ବା ଏହାଠାରୁ ଉଦ୍ଧ୍ୱର୍ ହ୍ରାସ ହୋଇଛି । ସେହିଭଳି ଲାଭ ହାସଲ କରୁଥିବା ସୂଚୀଭୁକ୍ତ କମ୍ପାନିଗୁଡିକ ଏହି ଖର୍ଚ୍ଚ ୧୦ରୁ ୧୫% କମାଇଛନ୍ତି । ଫିନଟେକ, ଏଡଟେକ ଏବଂ କ୍ରିପ୍ଟୋକରେନ୍ସି ଭଳି କ୍ଷେତ୍ରଗୁଡିକରେ ସବୁଠାରୁ ଅଧିକ ଖର୍ଚ୍ଚ କାଟ ହେଉଥିବା ଜଣାପଡିଛି ।

ମାନ୍ଦାବସ୍ଥା ଯୋଗୁ କମ୍ପାନିଗୁଡିକରେ ଚାହିଦା ଏବଂ ଲାଭ ପ୍ରଭାବିତ ହୋଇଥାଏ । ସେହିଭଳି କମ୍ପାନିଗୁଡିକର କରଜ ବୃଦ୍ଧି ହୋଇଥାଏ । ଅଧିକାଂଶ କମ୍ପାନି ଖର୍ଚ୍ଚ କାଟ କରିବା ଲାଗି କର୍ମଚାରିଙ୍କୁ ଛଟେଇ କରିଥାନ୍ତି । ଏଭଳି ବେରୋଜଗାରୀ ବୃଦ୍ଧି ମାନ୍ଦାବସ୍ଥାର ଆଭାସ ଦେଇଥାଏ । ମାନ୍ଦାବସ୍ଥ୍‌ା ଯୋଗୁ ଲୋକମାନେ ଖର୍ଚ୍ଚ କମ୍‌ କରିଥାନ୍ତି । ଫଳରେ ଶିଳ୍ପଗୁଡିକରେ ଉତ୍ପାଦନ ମଧ୍ୟ ହ୍ରାସ ହୋଇଥାଏ ।

୨୦୨୨ ଜୁନ ତ୍ରୈମାସରେ ଆମେରିକାର ଅଭିବୃଦ୍ଧି ୦.୯% ହ୍ରାସ ହୋଇଛି । ଲଗାତାର ଦ୍ୱିତୀୟ ତ୍ରୈମାସ ଲାଗି ଅର୍ଥ ବ୍ୟବସ୍ଥା ଏଭଳି ଖସିଛି । ଫାଇନାନ୍ସିଆଲ ଟାଇମ୍ସ ଏବଂ ଇନିସିଏଟିଭ୍‌ ଅନ୍‌ ଗ୍ଲୋବାଲ ମାର୍କେଟ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ, ଆମେରିକାର ପ୍ରମୁଖ ଅର୍ଥନୀତିଜ୍ଞ ଅନୁମାନ ଲଗାଇଛନ୍ତି ଯେ, ୨୦୨୩ ସୁଦ୍ଧା ମାନ୍ଦାବସ୍ଥା ଆସିପାରେ ।

୨୦୦୮ରେ ଆସିଥିବା ମାନ୍ଦାବସ୍ଥାର ପ୍ରଭାବ ଭାରତ ବଜାର ଉପରେ ପଡି ନ ଥିଲା । ଏବେ ଦେଶ ମଧ୍ୟରେ ଦରଦାମ ଚିନ୍ତାଜନକ ହୋଇଥିବାରୁ ଏହା କ୍ରୟ ଶକ୍ତି ଏବଂ ସଞ୍ଚୟକୁ ପ୍ରଭାବିତ କରିଛି । ଆମେରିକା ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ହୋଇଥିବାରୁ ସେଠାରେ ମାନ୍ଦାବସ୍ଥା ଆସିଲେ ବିଶ୍ୱର ଅନ୍ୟ ପ୍ରାନ୍ତଗୁଡିକରେ ଏହାର ପ୍ରଭାବ ଦେଖାଯାଇଥାଏ । ଭାରତ ବିଭିନ୍ନ ଉତ୍ପାଦ ପାଇଁ ଆମେରିକା ବଜାର ଉପରେ ନିର୍ଭର କରିଥାଏ । ଭାରତୀୟ ଆଇଟି କମ୍ପାନିଗୁଡିକର ବାଣିଜ୍ୟ ଆମେରିକା ଉପରେ ମଧ୍ୟ ନିର୍ଭରଶୀଳ । ତେବେ ଭାରତର ବଡ଼ ଗ୍ରାହକ ବଜାର, ବିନିର୍ମାଣ ଏବଂ ଉତ୍ପାଦନ ଫାସିଲିଟି ବାହ୍ୟ ପ୍ରଭାବଠାରୁ ଏହାକୁ ରକ୍ଷା କରିବାରେ ସହାୟକ ହେଉଛି । ଗତ କିଛି ଦିନ ତଳେ ବିଶିଷ୍ଟ ଶିଳ୍ପପତି ଆଦି ଗୋଦରେଜ କହିଥିଲେ ଯେ ଭାରତ ଉପରେ ମାନ୍ଦାବସ୍ଥାର ପ୍ରଭାବ ପଡିବ ନାହିଁ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.