ନୂଆଦିଲ୍ଲୀ, ୧୭/୦୨: ଭାରତର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ବିସିସିଆଇ ସଚିବ ଜୟ ଶାହଙ୍କୁ ପଠାଇଛନ୍ତି। ଜୟ ଶାହ ତାଙ୍କ ଇସ୍ତଫା ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ଏକ ଭିଡିଓରେ ସେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଅନେକ ଖୁଲାସା କହିଥିଲେ। ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା। ଆଉ ଆଜି ଶୁକ୍ରବାର ଚେତନ ଶର୍ମା ନିଜର ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ସେ ଖେଳାଳିଙ୍କ ଚୟନ, ଫିଟ୍ନେସ୍କୁ ଆଦିକୁ ନେଇ ଅନେକ ଖୁଲାସା କରିଥିଲେ। ଚେତନ ଶର୍ମା ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହଙ୍କ ଉପରେ ଅଭିଯୋଗ ଆଣିଥିଲେ। ସେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ହୋଇଥିବା ବହୁ ଚର୍ଚ୍ଚିତ ବିବାଦର ମଧ୍ୟ ଖୁଲାସା କରିଥିଲେ। ଶର୍ମା ଅଭିଯୋଗ ଲଗାଇଥିଲେ ଯେ ୮୦ ରୁ ୮୫ ପ୍ରତିଶତ ଫିଟ୍ ରହିବା ପରେ ବି ଇଞ୍ଜେକ୍ସନ ନେଇଥାନ୍ତି।
ଚେତନ ଶର୍ମା ଆହୁରି ଅଭିଯୋଗ ଆଣିଥିଲେ ସେପ୍ଟେମ୍ବରରେ ଅଷ୍ଟେ୍ରଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ବୁମରାହଙ୍କ ଫେରିବାକୁ ନେଇ ତାଙ୍କର ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ମତଭେଦ ରହିଥିଲା। ଏହ ବ୍ୟତୀତ ଚେତନ ଶର୍ମା ଏହି ଭିଡିଓରେ ଅନେକ ବଡ଼ ଖୁଲାସା କରିଥିଲେ। ଯାହାକୁ ନେଇ ବିବାଦ ହୋଇଥିଲା। ଏହି ଭିଡିଓ ପରଠାରୁ ଚେତନ ଶର୍ମା ବିବାଦରେ ରହିଆସିଥିଲେ। ଏହି ପ୍ରସଙ୍ଗକୁ ନେଇ ବିସିସିଆଇକୁ ଆକ୍ସନ ନେବା ପାଇଁ ଲଗାତାର ଚାପ ପକାଯାଉଥିଲା। ଆଉ ଏବେ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ, ଚେତନ ଶର୍ମା ୨୦୨୩ ଜାନୁଆରୀ ୭ ରେ ଦ୍ବିତୀୟ ଥର ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତି ହୋଇଥିଲେ। ଏହା ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ଥିଲା। କିନ୍ତୁ ଏଥର ୪୦ ଦିନରେ ହିଁ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି।