BCCI ଘୋଷଣା କଲା ଚୟନ କମିଟି, ଚେତନ ଶର୍ମା ପୁଣି ଥରେ ହେଲେ ମୁଖ୍ୟ ଚୟନକର୍ତ୍ତା, ଶିବସୁନ୍ଦର ଦାସ ବି ସାମିଲ୍
7/01/2023 at 5:05 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଭାରତୀୟ ଜାତୀୟ ଦଳର ୫ ଜଣିଆ ନୂତନ ଚୟନ କମିଟି ଘୋଷଣା କରିଛି। ପୁନର୍ବାର ପୂର୍ବତନ କ୍ରିକେଟର ଚେତନ ଶର୍ମା ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ଟି-୨୦ ବିଶ୍ଵ କପ୍ ୨୦୨୨ରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଭଙ୍ଗ କରିଥିଲା। ଏହା ପରେ ନୂତନ ଚୟନ କମିଟି ଗଠନ ନେଇ ପ୍ରକ୍ରିୟା ଜାରି ରହିଥିଲା। ପୂର୍ବ ଚୟନ କମିଟିର ଅଧ୍ୟକ୍ଷ ହିଁ ଚେତନ ଶର୍ମା ଥିଲେ। ଓଡିଶା ପାଇଁ ଗୌରବର ବିଷୟ ଯେ, ନୂତନ ଚୟନକର୍ତ୍ତା କମିଟିରେ ଅଭିଜ୍ଞ ପୂର୍ବତନ କ୍ରିକେଟର ତଥା ଭାରତୀୟ ଟେଷ୍ଟ ଦଳର ପୂର୍ବତନ ଓପନର ଶିବ ସୁନ୍ଦର ଦାସ ସାମିଲ୍ ଅଛନ୍ତି।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଦ୍ଵାର ସୁଲକ୍ଷଣା ନାୟକ, ଅଶୋକ ମାଲହୋତ୍ରା ଏବଂ ଜତିନ ପରାଜମ୍ପେଙ୍କୁ ନେଇ ଗଠିତ ନୂତନ ପରାମର୍ଶଦାତା କମିଟି ନୂତନ ଚୟନ କମିଟି ଗଠନ କରିଛନ୍ତି। ଏଥିପାଇଁ ୬୦୦ ଦରଖାସ୍ତ ବିସିସିଆଇ ନିକଟକୁ ଆସିଥିଲା। ଏହାପରେ ୧୧ ଜଣଙ୍କୁ ଚୟନ କରାଯାଇ ବ୍ୟକ୍ତିଗତ ସାକ୍ଷାତକାର ନିଆଯାଇଥିଲା। ଶେଷରେ ପରାମର୍ଶଦାତା କମିଟି ଚେତନ ଶର୍ମା, ଶିବସୁନ୍ଦର ଦାସମ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା ଏବଂ ଶ୍ରୀଧରନ ଶରଥଙ୍କୁ ନେଇ ଭାରତୀୟ ସିନିୟର ଦଳର ଚୟନକର୍ତ୍ତା କମିଟି ଗଠନ କରିଛନ୍ତି। କମିଟିରେ ଚେତନ ଶର୍ମାଙ୍କୁ ପୁନର୍ବାର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି।
NEWS 🚨- BCCI announces All-India Senior Men Selection Committee appointments.
— BCCI (@BCCI) January 7, 2023
Mr Chetan Sharma recommended for the role of Chairman of the senior men’s selection committee.
More details 👇👇https://t.co/K5EUPk454Y
ପରାମର୍ଶଦାତା କମିଟି ଦକ୍ଷିଣାଞ୍ଚଳରୁ ଏସ ଶରଥ, ମଧ୍ୟାଞ୍ଚଳରୁ ଶିବସୁନ୍ଦର ଦାସ, ପୂର୍ବାଞ୍ଚଳରୁ ସୁବ୍ରତ ବାନାର୍ଜୀ ଏବଂ ପଶ୍ଚିମାଞ୍ଚଳରୁ ସଲିଲ ଅଙ୍କୋଲାଙ୍କୁ ଚୟନକର୍ତ୍ତା କମିଟିରେ ନିଯୁକ୍ତ କରିଛନ୍ତି। ଗତ ଚୟନକର୍ତ୍ତା କମିଟିଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳକୁ କୌଣସି ବଡ ସଫଳତା ମିଳିନଥିଲା। ଏସିଆ କପ୍, ଟି-୨୦ ବିଶ୍ଵ କପ୍ର ପରାଜୟ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଶୋଚନୀୟ ପରାଜୟ ସଭିଙ୍କୁ ମର୍ମାହତ କରିଥିଲା। ଏହି ସମୟରେ ଚୟନ କମିଟିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିଲା। ଟି-୨୦ ବିଶ୍ଵ କପ୍ ୨୦୨୨ର ସେମି ଫାଇନାଲ୍ରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ଚୟନକର୍ତ୍ତା କମିଟି ଭାଙ୍ଗି ଦେଇଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଚୟନ କମିଟିରେ ଚେତନ ଶର୍ମା(ଉତ୍ତରାଞ୍ଚଳ), ହରବିନ୍ଦର ସିଂ(ମଧ୍ୟାଞ୍ଚଳ), ସୁନୀଲ ଯୋଶୀ(ଦକ୍ଷିଣାଞ୍ଚଳ) ଏବଂ ଦେବାଶିଷ ମହାନ୍ତି(ପୂର୍ବାଞ୍ଚଳ) ବରିଷ୍ଠ ଚୟନକର୍ତ୍ତା ଭାବେ ଛୋଟ କାର୍ଯ୍ୟକାଳ ପୂରା କରିଥିଲେ।
ଭାରତୀୟ ଦଳର ନୂତନ ଚୟନକର୍ତ୍ତା
୧ – ଚେତନ ଶର୍ମା(ଅଧ୍ୟକ୍ଷ)
୨ – ଶିବସୁନ୍ଦର ଦାସ
୩ – ସୁବ୍ରତ ବାନାର୍ଜୀ
୪ – ସଲିଲ ଅଙ୍କୋଲା
୫ – ଶ୍ରୀଧରନ ଶରଥ