ବୁମରାଙ୍କ ଆଘାତ ନେଇ ଖୁଲାସା, ନିଜର ଭୁଲ୍ ପାଇଁ ଲଗାତାର ହେଉଥିଲେ ଆହତ
15/02/2023 at 2:52 PM

ମୁମ୍ବାଇ: ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଆଘାତକୁ ନେଇ ଆସିଛି ବଡ଼ ଖବର । ବୁମରାଙ୍କ ଭୁଲକୁ ନେଇ ଖୁଲାସା କରିଛନ୍ତି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ଦଳର ଷ୍ଟାର ବୋଲରଙ୍କୁ କାହିଁକି ବିଶ୍ଵକପ୍ରୁ ବାଦ୍ ଦିଆଗଲା ତାର କାରଣ ମଧ୍ୟ ଚେତନ ଶର୍ମା କହିଛନ୍ତି।

ଚେତନଙ୍କ ଅନୁଯାୟୀ, ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିରିଜରେ ବୁମରା ଆହତ ହୋଇଥିଲେ । କିନ୍ତୁ ସେ ଦଳରେ ରହିବାକୁ ଜିଦି କରିବାରୁ ଅନଫିଟ୍ ଥିବା ସତ୍ତ୍ଵେ ଦଳରେ ରହିଥିଲେ । ସିରିଜ ପରେ ହୋଇଥିବା ସ୍କାନରୁ ଏହା ସ୍ପଷ୍ଟ ହୋଇଥିଲା ଯେ ବୁମରାଙ୍କ ଆଘାତ ଗୁରୁତର ରହିଛି। ଫଳରେ ଏହା ତାଙ୍କୁ ଦୀର୍ଘ ସମୟ କ୍ରିକେଟରୁ ଦୂରେଇ ରଖିପାରେ । ରିପୋର୍ଟ ଆସିବା ପରେ ବୁମରାଙ୍କୁ ବିଶ୍ୱକପରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲା ଟିମ ମ୍ୟାନେଜମେଣ୍ଟ ।

ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ବିଶ୍ୱକପରେ ବୁମରା ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ତେବେ ଆହତଜନିତ ସମସ୍ୟା କାରଣରୁ ବୁମରା କେବଳ ବିଶ୍ଵକପରୁ ବାଦ୍ ପଡିନଥିଲେ ବରଂ ଏହା ପୂର୍ବରୁ ଏସିଆ କପ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ଏହା ପରେ ସେ ସମ୍ପୂର୍ଣ୍ଣ ଫିଟ୍ ନଥିଲେ ମଧ୍ୟ ସେତେବେଳେ ତାଙ୍କ ଫିଟନେସକୁ ନେଇ ଦଳ ପ୍ରବନ୍ଧକ ରିସ୍କ ଉଠାଇଥିଲେ । କିନ୍ତୁ ଫିଟନେସ୍ ରିପୋର୍ଟରେ ବୁମରା ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବା ଜଣା ପଡିଥିଲା। ତେଣୁ ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଥିଲା ବୋଲି ଚେତନ କହିଛନ୍ତି।

ଅଷ୍ଟ୍ରେଲିଆ ସିରିଜ ବିଷୟରେ ଚେତନ ଶର୍ମା କହିଛନ୍ତି, ‘ଯେତେବେଳେ ମୁଁ ବୁମରାଙ୍କ ସହ କଥା ହେଲି, ବୁମରା ପ୍ରଥମ ମ୍ୟାଚ୍ ଖେଳିବାକୁ ଚାହୁଁଥିଲେ । କିନ୍ତୁ ମୁଁ ତାଙ୍କୁ ଦ୍ବିତୀୟ ମ୍ୟାଚ୍ ଖେଳିବା ପାଇଁ କହିଥିଲି । ଯେତେବେଳେ ସେ ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ବୁମରା ପ୍ରସ୍ତୁତ ହେଉଥିଲେ, ସେହି ସମୟରେ ବୁମରାଙ୍କ ସ୍କାନିଂ ରିପୋର୍ଟ ଆସିଥିଲା । ଏଥିରୁ ଜଣା ପଡିଥିଲା ଯେ, ବୁମରାଙ୍କୁ ଖେଳାଇବା ତାଙ୍କ ପ୍ରତି ଘାତକ ହୋଇପାରେ। ଏହାପରେ ଚୟନକର୍ତ୍ତା କହିଥିଲେ ଯେ, ଯଦି ବିଶ୍ୱକପ ଦଳରେ ବୁମରାଙ୍କୁ ସାମିଲ୍ କରାଯାଏ ତେବେ ସେ ଆହତ ହେଲେ ଦଳର ପୂରା ସମୀକରଣ ବଦଳିଯିବ। ତେଣୁ ବୁମରାଙ୍କୁ ମ୍ୟାଚରୁ ବାହାରେ ରଖିବାକୁ ନିଷ୍ପତି ନେଇଥିଲା ଟିମ ଇଣ୍ଡିଆ ।