କୋହଲି-ପଡ୍ଡିକଲଙ୍କ ଅର୍ଦ୍ଧଶତକ ବେକାର: ଆରସିବିକୁ ୬ ଓ୍ବିକେଟ୍‌ରେ ହରାଇଲା ସିଏସ୍‌କେ

Published By : Prameya-News7 Bureau | September 24, 2021 IST

ସାରଜାହ ୨୪/୦୯: ଅନୁମାନ ସତ ହେଲା। କୋହଲିଙ୍କ ଉପରେ ଭାରି ପଡିଲେ ମାହି। ଫିକା ପଡ଼ିଗଲା କୋହଲି-ପଡ୍ଡିକଲଙ୍କ ଦମଦାର ଅର୍ଦ୍ଧଶତକ। ସାରଜାହ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଓ୍ବିକେଟ୍‌ରେ ମାତ ଦେଇଛି ଚେନ୍ନାଇ ସୁପରକିଙ୍ଗସ୍‌ (ସିଏସ୍‌କେ)।  ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମାହି ସ୍କାଡ୍‌ ୧୮. ୧ ଓଭରରେ ୧୫୭ ରନ୍‌ କରି ଲକ୍ଷ୍ୟ ହାସଲ କରିଛି। ୪ ଓ୍ବିକେଟ ବିନିମୟରେ ସିଏସ୍‌କେ ଲକ୍ଷ୍ୟ ହାସଲ କରିବା ସହ ଆରସିବକୁ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା ଆରସିବି । ଦେବଦତ୍ତ ପଡିକଲଙ୍କ ଧୂଆଁଧାର ଇନିଂସ ବଳରେ ଚେନ୍ନାଇକୁ ୧୫୭ ରନର ବିଜୟ ଲକ୍ଷ୍ୟ ଦେଇଛି ବେଙ୍ଗାଲୁରୁ । କୋହଲି ଏବଂ ପଡ୍ଡିକଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ମଧ୍ୟକ୍ରମରେ ବ୍ୟାଟ୍ସମ୍ୟାନ୍‌ମାନେ ଫେଲ ମାରିଥିଲେ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଓପନର ଅଧିନାୟକ ବିରାଟ କୋହଲି ଏବଂ ଦେବଦତ୍ତ ପଡ୍ଡିକଲ ଧୂଆଁଧାର ଆରମ୍ଭ କରିଥିଲେ । ବିରାଟ କୋହଲି ୪୧ ବଲ ଖେଳି ୬ ଚୌକା ଏବଂ ଗୋଟିଏ ଛକା ବଳରେ ୫୩ ରନ କରିଥିବା ବେଳେ ଦେବଦତ୍ତ ପଡ୍ଡିକଲ ୫୦ ବଲ ଖେଳି ୫ଟି ଚୌକା ଏବଂ ୩ ଛକା ବଳରେ ୭୦ ରନ କରି ଆଉଟ ହୋଇଥିଲେ । ସେହିଭଳି ଏବି ଡି’ ଭିଲିୟର୍ସ ୧୨ ରନ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୧ ରନ ଏବଂ ଟିମ୍‌ ଡେଭିଡ୍‌ ୧ ରନ ଏବଂ ହର୍ଷଲ ପଟେଲ ୩ ରନ କରି ଆଉଟ ହୋଇଥିଲେ । ଓ୍ବାନିନ୍ଦୁ ହସରଙ୍ଗା ୧ କରି ଅପରାଜିତ ଥିଲେ ।

ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ଜୋସ୍‌ ହେଜେଲଉଡ ୪ ଓଭରରେ ୩୪ରନ, ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୨୯ ରନ ୨ ଓ୍ବିକେଟ୍‌, ରବୀନ୍ଦ୍ର ଜାଡେଜା ୪ ଓଭରରେ ୩୧ରନ, ଦୀପକ ଚହର ୪ ଓଭରରେ ୩୫ ରନ ଦେଇ ୧ ଓ୍ବିକେଟ ଏବଂ ଡ୍ବେନ୍‌ ବ୍ରାଭୋ ୪ ଓଭରରେ ୨୪ ରନ ଦେଇ ୩ ଓ୍ବିକେଟ ନେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.