Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL 2023କୁ ମିଳିଲା ଚାମ୍ପିଅନ, ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ

30/05/2023 at 1:40 AM

ଅହମ୍ମଦାବାଦ: ବହୁ ପ୍ରତୀକ୍ଷା ପରେ ଶେଷରେ ଆଇପିଏଲ୍ ୨୦୨୩କୁ ମିଳିଲା ଚାମ୍ପିଅନ। ବର୍ଷା ବାଧାପ୍ରାପ୍ତ ଫାଇନାଲ୍ ମୁକାବିଲାରେ ବାଜି ମାରିଲା ଚେନ୍ନାଇ ସୁପର କିଙ୍ଗ୍ସ। ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟକୁ ଡିଏଲଏସ ମେଥଡ ଅନୁଯାୟୀ ୫ ଓ୍ଵିକେଟରେ ହରାଇ ପଞ୍ଚମ ଥର ଆଇପିଏଲ୍ ଟ୍ରଫି ହାତେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ। ଆଇପିଏଲ ଇତିହାସରେ ସର୍ବାଧିକ ୫ ଥର ଚାମ୍ପିଅନ ହେବାର ମୁମ୍ବାଇ ଇଣ୍ଡିଆନ୍ସ record ସହ ସମକକ୍ଷ ହୋଇଛି ଚେନ୍ନାଇ। ଏଥିସହ IPL ରେ ସବୁଠୁ ସଫଳତମ ଦଳ ହେବାର ଆଖ୍ୟା ଅର୍ଜନ କରିଛି Chennai super kings। ଏହା ପୂର୍ବରୁ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଚାମ୍ପିଅନ ହୋଇଥିଲା।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କ ୯୬ ରନ ଏବଂ ଋଦ୍ଧିମାନ ଶାହାଙ୍କ ୫୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୪ ରନ କରିଥିଲା। ଜବାବରେ ଚେନ୍ନାଇ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶେଷ ୨ଟି ବଲରେ ଛକା ଏବଂ ଚୌକା ମାରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ଅବିସ୍ମରଣୀୟ ବିଜୟ ଦେବା ସହ ଦଳକୁ ଚାମ୍ପିଅନ କରାଇଛନ୍ତି। ଡେଭନ କନଓ୍ଵେ ସର୍ବାଧିକ ୪୭ ରନ କରିଥିବା ବେଳେ ଶିବମ ଦୁବେ ୩୨ ରନ ଏବଂ ଜାଡେଜା ୧୫ ରନ କରି ଅପରାଜିତ ଥିଲେ। ତାଙ୍କ ବ୍ୟତୀତ ଆଜିଙ୍କ୍ୟ ରାହାଣେ ୨୭ ଏବଂ ଋତୁରାଜ ଗାଏକଓ୍ଵାଡ ୨୬ ରନ କରିଥିଲେ। ଅନ୍ୟପଟେ ସାଇ ସୁଦର୍ଶନଙ୍କ ୯୬ ରନର ଇନିଂସ ବୃଥା ହୋଇଛି।

ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସ

ଗୁଜରାଟ ଇନିଂସ ସରିବା ପରେ ଯେବେ ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସ ଆରମ୍ଭ ହେଲା ବର୍ଷା ଆରମ୍ଭ ହୋଇଥିଲା ଏବଂ ଆଉଟ୍ ଫିଲ୍ଡ ଓଦା ହେବାରୁ ସୁଖାଇବାରେ ସମୟ ଲାଗିଥିଲା। ତେଣୁ ଚେନ୍ନାଇ ଇନିଂସରେ ଓଭର ହ୍ରାସ କରାଯାଇଥିଲା। ରାତି ୧୨ଟା ୧୦ରୁ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା ଏବଂ ଡକଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ୧୫ ଓଭରରେ ଚେନ୍ନାଇ ସମ୍ମୁଖରେ ୧୭୧ ରନର ବିଜୟ ଲକ୍ଷ୍ୟ ରଖାଯାଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇର ଦୁଇ ଓପନର ଡେଭନ କନଓ୍ଵେ ଏବଂ ଋତୁରାଜ ଗାଏକଓ୍ଵାଡ଼ ଦମଦାର ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୬.୩ ଓଭରରେ ୭୪ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିେଲ। ଋତୁରାଜ ଗାଏକଓ୍ଵାଡ଼ ୧୬ ବଲରୁ ୩ ଚୌକା ଏବଂ ୧ ଛକା ସହାୟତାରେ ୨୬ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ କ୍ରିଜରେ ଜମିଥିବା ଡେଭନ କନଓ୍ଵେ ଆଉଟ୍ ହେବା ଚେନ୍ନାଇକୁ ବଡ଼ ଝଟକା ଲାଗିଥିଲା। କନଓ୍ଵେ ବିସ୍ଫୋରକ ବ୍ୟାଟିଂ କରି ୨୫ ବଲରୁ ୪ ଚୌକା ଏବଂ ୨ ଛକା ସହାୟତାରେ ୪୭ ରନର ଉପଯୋଗୀ ଇନିଂସ ଖେଳିଥିଲେ।

ଏହା ପରେ ଆଜିଙ୍କ୍ୟ ରାହାଣେ ଏବଂ ଶିବମ ଦୁବେ ଇନିଂସକୁ ଆଗକୁ ବଢାଇଥିଲେ। ବିଶେଷ କରି ରାହାଣେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୧୩ ବଲରୁ ୨ ଚୌକା ଏବଂ ୨ ଛକା ଜରିଆରେ ଦ୍ରୁତ ୨୭ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ଦୁବେଙ୍କ ସହ ତୃତୀୟ ଓ୍ଵିକେଟ୍ ପାଇଁ ୩୯ ରନ ଯୋଡ଼ିଥିଲେ। ଶିବମ ଦୁବେ ଏବଂ ଅମ୍ବତି ରାୟୁଡୁ ଦଳକୁ ବିଜୟର ନିକଟତର କରାଇଥିଲେ। ତେବେ ୧୩ତମ ଓଭରରେ ମୋହିତ ଶର୍ମା ଲଗାତାର ୨ଟି ଓ୍ଵିକେଟ୍ ନେଇ ଗୁଜରାଟକୁ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ରାୟୁଡୁ ୮ ବଲରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୧୯ ରନ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନୀ କ୍ରିଜକୁ ଆସି ଗୋଲ୍ଡେନ ଡକର ଶିକାର ହୋଇଥିଲେ। ଏକଦା ସହଜ ବିଜୟ ଆଡକୁ ଯାଉଥିବା ଚେନ୍ନାଇ ୨ଟି ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ପହଞ୍ଚିଥିଲା। ଶେଷ ଓଭରରେ ଚେନ୍ନାଇକୁ ଜିତିବା ପାଇଁ ୧୩ ରନ ଦରକାର ଥିଲା। ଶେଷ ୨ ବଲରେ ଛକା ଏବଂ ଚୌକା ମାରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ଅବିସ୍ମରଣୀୟ ବିଜୟ ଦେବା ସହ ଚାମ୍ପିଅନ କରାଇଛନ୍ତି। ଶେଷରେ ଚେନ୍ନାଇ ଡିଏଲଏସ ଅନୁଯାୟୀ ନିର୍ଦ୍ଧାରିତ ୧୫ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୧ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଗୁଜରାଟ ଟାଇଟନ୍ସ ପକ୍ଷରୁ ମୋହିତ ଶର୍ମା ୩୬ ରନ ଦେଇ ୩ ଏବଂ ନୂର ଅହମ୍ମଦ ୧୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

ଗୁଜରାଟ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ଶୁଭମନ ଗିଲ୍ ଏବଂ ଋଦ୍ଧିମାନ ଶାହା ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ିଥିଲେ। ଚଳିତ ସଂସ୍କରଣରେ ଚମତ୍କାର ଫର୍ମରେ ଥିବା ଗିଲ୍‌ଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡ଼େଜା ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ। ଗିଲ୍ ୨୦ ବଲ୍‌ରୁ ୭ ଚୌକା ସହ ୩୯ ରନ କରି ବିଦାୟ ନେଇଥିଲେ। ଏହା ପରେ ଶାହା ଏବଂ ସାଇ ସୁଦର୍ଶନ ରନ ଗତିକୁ ବଜାୟ ରଖିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ି ଦଳର ସ୍ଥିତିକୁ ଆହୁରି ସୁଦୃଢ କରିଥିଲେ। ଋଦ୍ଧିମାନ ଶାହ ଦମଦାର ବ୍ୟାଟିଂ କରି ୩୯ ବଲ୍‌ରୁ ୫ ଚୌକା ଏବଂ ୧ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଉପଯୋଗୀ ଇନିଂସ ଖେଳିଥିଲେ।

Image

ଅନ୍ୟପଟେ ସାଇ ସୁଦର୍ଶନ ଚଳିତ ସିଜିନରେ ନିଜର ଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ସେ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ ଗୁଜରାଟର ଇନିଂସକୁ ୨୦୦ ପାର କରାଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ସୁଦର୍ଶନ ଶେଷ ଓଭରରେ ଆଉଟ୍ ହୋଇଥିଲେ। ସେ ମାତ୍ର ୪ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସୁଦର୍ଶନ ଆକର୍ଷଣୀୟ ବ୍ୟାଟିଂ କରି ୪୭ ବଲ୍‌ରୁ ୮ ଚୌକା ଏବଂ ୬ ଛକା ସହାୟତାରେ ୯୬ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି। ତାଙ୍କର ଏହି ବ୍ୟାଟିଂ ବଳରେ ଗୁଜରାଟ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୪ ରନ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ କରି ଅପରାଜିତ ଥିଲେ। ବୋଲିଂରେ ଚେନ୍ନାଇ ପକ୍ଷରୁ ଦୀପକ ଚହର, ରବୀନ୍ଦ୍ର  ଜାଡ଼େଜା ଏବଂ ମଥଶା ପଥିରାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts