ଚେନ୍ନାଇ: ଗୁରୁ ନାଁରେ କଳଙ୍କ। ନାବାଳକ ଛାତ୍ର ସହ ପ୍ରେମ ସମ୍ପର୍କ ରଖି ଧୋକା ଦେଲେ ଶିକ୍ଷୟିତ୍ରୀ। ସହି ନପାରି ଆତ୍ମହତ୍ୟା କଲେ ୧୭ ବର୍ଷୀୟ ନାବାଳକ! ଏହି ମାମଲାରେ ପୁଲିସ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ତାମିଲନାଡୁ ଅମ୍ବାତୁରରେ ଏଭଳି ଘଟଣା ଘଟିଛି।
ତାମିଲନାଡୁ ରାଜଧାନୀ ଚେନ୍ନାଇ ଠାରୁ ମାତ୍ର ୨୦ କିମି ଦୂରରେ ଥିବା ଅମ୍ବାତୁରର ଏକ ସରକାରୀ ସ୍କୁଲ୍ର ପାଠ ପଢ଼ାନ୍ତି ଏହି ଶିକ୍ଷୟିତ୍ରୀ। ସେ ଗତ ୩ ବର୍ଷ ହେଲା ନାବାଳକକୁ ପାଠ ପଢ଼ାଉଥିଲେ। ମଝିରେ ମଝିରେ ନାବାଳକ ଛାତ୍ର ଜଣକ ପାଠ ବୁଝିବା ପାଇଁ ସାଙ୍ଗମାନଙ୍କ ସହ ଶିକ୍ଷୟିତ୍ରୀଙ୍କ ଘରକୁ ବି ଆସୁଥିଲେ। ଶିକ୍ଷୟିତ୍ରୀ ଓ ଛାତ୍ର ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ପୁଲିସ ଅନୁମାନ କରିଛି। ତେବେ ଶିକ୍ଷୟିତ୍ରୀଙ୍କ ନିର୍ବନ୍ଧ ହେବା ପରେ ସେ ନାବାଳକ ଛାତ୍ର ସହ ସବୁ ସମ୍ପର୍କ ତୁଟାଇ ଦେଇଥିଲେ। ହେଲେ ନାବାଳକ ଛାତ୍ର କିନ୍ତୁ ଦିିଦିଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁଥିଲେ ବୋଲି ଇନ୍ସପେକ୍ଟର ଜ୍ୟୋତିଲକ୍ଷ୍ମୀ ସୂଚନା ଦେଇଛନ୍ତି।
ମାସେ ତଳେ ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ନାବାଳକ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟାରେ ଆଉ କିଛି କାରଣ ଥାଇପାରେ ବୋଲି ତାଙ୍କ ମାଆ ସନ୍ଦେହ କରିଥିଲେ। ଏହାପରେ ନାବାଳକର ମୋବାଇଲ୍ରେ ଶିକ୍ଷୟିତ୍ରୀଙ୍କ ଫଟୋ ମିଳିବା ପରେ ପୁଲିସ ଯାଞ୍ଚ କରି ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ମାମଲାରେ ପରବର୍ତ୍ତି ତଦନ୍ତ ଜାରି ରହିଛି।