ଭାରତରେ ଦେଖାଦେଲାଣି କରୋନା ହ୍ରାସର ଲକ୍ଷଣ, ପ୍ରଥମଥର ଜଣାପଡିଲା କମୁଛି Covid ରି-ପ୍ରଡକ୍ସନ ହାର
25/09/2020 at 9:10 PM

ନୂଆଦିଲ୍ଲୀ ୨୫।୯: ଭାରତରେ ଗୋଟିଏ ଦିନରେ ୮୬ ହଜାର ୫୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮ଲକ୍ଷ୧୮ ହଜାର ୫୭୦ରେ ପହଞ୍ଚିଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ କୋଭିଡ-୧୯ରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪୭ ଲକ୍ଷ ୫୦ ହଜାର ପାର ହୋଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ କୋଭିଡ ମୃତକଙ୍କ ସଂଖ୍ୟା ୯୨ ହଜାର ୨୯୦ରେ ପହଞ୍ଚିଛି।

ତେବେ ଅନଲାଇନ ମିଡିଆ ରିପୋର୍ଟ ଅନୁସାରେ ଭାରତରେ ପ୍ରଥମ ଥର କରୋନା ଭାଇରସ ମହାମାରୀ ସଂକ୍ରମଣର ଆର-ଭାଲ୍ୟୁ ( କରୋନା ରି-ପ୍ରଡକ୍ସନ ନମ୍ବର) ୧ରୁ ତଳକୁ ଖସିଛି। ଗତ ସପ୍ତାହରେ ଏହି ଭାଲ୍ୟୁ ୧.୦୮ ଥିବା ବେଳେ ଚଳିତ ସପ୍ତାହରେ ୦.୯୩କୁ ଖସିଛି। ଆର-ଭାଲ୍ୟୁ ହେଉଛି ସେହି ସଂଖ୍ୟା ଜଣେ ସଂକ୍ରମିତ ହାରାହାରି ଯେତେ ଲୋକଙ୍କୁ ସଂକ୍ରମଣ କରିପାରିବ। ଯଦି ଆର-ଭାଲ୍ୟୁ ୧ରୁ ଅଧିକ ହୁଏ ସଂକ୍ରମିତ ବ୍ୟକ୍ତି ଏକାଧିକ ଲୋକଙ୍କୁ ସଂକ୍ରମଣ କରିପାରନ୍ତି। ଯଦି ଏହି ମୂଲ୍ୟ ୧ରୁ କମ୍ ହୁଏ ତେବେ ସଂକ୍ରମିତଙ୍କଠାରୁ ସଂକ୍ରମଣର ଆଶଙ୍କା ହ୍ରାସ ହୁଏ। ଏଣୁ ଦେଶରେ କରୋନା ସଂକ୍ରମଣ ହାର ହ୍ରାସର ଏହା ଏକ ଲକ୍ଷଣ ବୋଲି କୁହାଯାଇପାରେ।

ଚେନ୍ନାଇସ୍ଥିତ ଗଣିତ ବିଜ୍ଞାନ କେନ୍ଦ୍ରର ଗବେଷକ ସୀତାଭରା ସିହ୍ନାଙ୍କ ଅନୁସାରେ ଏବେ ଭାରତରେ କରୋନା ଆର-ଭାଲ୍ୟୁ ୦.୯୩ରେ ଅଛି। ଏଥିରୁ ଦେଶରେ ଏବେ ପ୍ରତି ୧୦୦ ଜଣରେ ୯୩ ଜଣ କରୋନା ପ୍ରସାରଣ କରିପାରୁଛନ୍ତି। ଯେଉଁ ସବୁ ରାଜ୍ୟରେ ଆର-ଭାଲ୍ୟୁ ଦ୍ରୁତ ହ୍ରାସ ହେଉଛି ସେହି ସବୁ ରାଜ୍ୟ ଏକ ସମୟରେ ଦେଶର ସର୍ବାଧିକ କୋଭିଡ ପ୍ରଭାବିତ ରାଜ୍ୟ ଥିଲେ। ଯେପରିକି ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଆର-ଭାଲ୍ୟୁ ହ୍ରାସ ହେଉଥିବା ସିହ୍ନା କହିଛନ୍ତି।

ଚେନ୍ନାଇ ଗଣିତ ବିଜ୍ଞାନ ସଂସ୍ଥାଙ୍କ ଅନୁସାରେ କରୋନା ପ୍ରସାରରେ ସମଗ୍ର ଭାରତର ଆର-ଭାଲ୍ୟୁ ଯାହା ଥିଲା କେବଳ ମହାରାଷ୍ଟ୍ରର ଭାଲ୍ୟୁ ସେଇଆ ଥିଲା। ଚଳିତ ସପ୍ତାହରେ ମହାରାଷ୍ଟ୍ରର ଆର-ଭାଲ୍ୟୁ ଗତ ସପ୍ତାହର ୧.୧୭ରୁ ଖସି ୦.୮୬ରେ ପହଞ୍ଚିଛି। ତେବେ ଏଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେବି ଅଧିକ ଅଛି।

ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ରିପ୍ରଡକ୍ସନ ହାର ହ୍ରାସ ହୋଇଛି। ଏଠାରେ ଆର-ଭାଲ୍ୟୁ ୦.୮୦କୁ ହ୍ରାସ ହୋଇଥିବା ବେଳେ ଏଠାରେ ଆକ୍ଟିଭ କେସ୍ ୧ଲକ୍ଷରୁ ୭୦ ହଜାରକୁ ହ୍ରାସ ହୋଇଛି। ଅର୍ଥାତ ଏଠାରେ ସଂକ୍ରମଣ ହାର ହ୍ରାସ ହେବାର ସୂଚନା ମିଳୁଛି। ଦିଲ୍ଲୀର ଆର-ଭାଲ୍ୟୁ ଗତ ସପ୍ତାହରେ ୧.୨୬ ଥିଲା। ତେବେ ଚଳିତ ସପ୍ତାହରେ ଏଥିରେ ସାମାନ୍ୟ ହ୍ରାସ ହୋଇଛି। ଏହା ୧ରୁ ସାମାନ୍ୟ ଅଧିକ ଅଛି। ସେହିପରି ମୁମ୍ବାଇ, ପୁଣେ ଓ ବେଙ୍ଗାଲୁରୁରେ ଚଳିତ ସପ୍ତାହର ଆର-ଭାଲ୍ୟୁ ଏବେ ୦.୬୭କୁ ଚାଲିଆସିଛି। ଗତ ସପ୍ତାହରେ ଏହା ୧.୦୯ ଥିଲା। ତେବେ କେରଳରେ ଆର-ଭାଲ୍ୟୁ ନିୟନ୍ତ୍ରିତ ହୋଇ ଆସୁଥିବା ବେଳେ ପୁଣି ବଢିଛି। ଗତ ସପ୍ତାହରେ ଆର-ଭାଲ୍ୟୁ ୧.୦୭ ଥିବା ବେଳେ ଏବେ ପୁଣି ଥରେ ୧.୨୦କୁ ପହଞ୍ଚିଛି।