ପାଣି ଗନ୍ଧ ହେବାରୁ ଝାରସୁଗୁଡା ସହରରେ ଜଳ ଯୋଗାଣ ବନ୍ଦ : ରାସ୍ତା କଡରେ ପଡିଥିବା ରାସାୟନିକ ଦ୍ରବ୍ୟ ନାଳରେ ମିଶି ଇବ୍ ନଦୀକୁ କରୁଛି ଦୂଷିତ
14/08/2020 at 4:35 PM

ଝାରସୁଗୁଡା, ୧୪|୦୮ : ଝାରସୁଗୁଡ଼ା ବାଇପାସ ରାଜ୍ୟ ରାଜପଥ-୧୦ ବିଜୁ ଏକ୍ସପ୍ରେସ ଓ୍ୱେର ଏକ କଲଭର୍ଟ ନିକଟରୁ କିଛି ରାସାୟନିକ ଦ୍ରବ୍ୟ ଠାବ କରାଯାଇଛି । ସ୍ଥାନୀୟ ଦୁଲଗା ଛକଠାରୁ ତାଲ ପଟିଆ ବାଇପାସ ଛକ ଦେଇ ଯାଇଥିବା ରାସ୍ତା ପାର୍ଶ୍ଵରେ ଏହି ସବୁ ରାସାୟନିକ ଦ୍ରବ୍ୟ ପଡିଥିଲା । ଖବର ପାଇ ଜନ ସ୍ୱାସ୍ଥ୍ୟ ବିଭାଗ ଏସବୁକୁ ଠାବ କରିଛି ।
ଏହି ଦୁର୍ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ କଲଭର୍ଟ ଠାରେ ନାଳରେ ମିଶି ଉପର ମୁଣ୍ଡରେ ଇବ୍ ନଦୀକୁ ପ୍ରବେଶ କରଥିବା ନଜର ଆସିଛି । ଯାହା ଫଳରେ ମାଛ ମରି ଭ।ସିବା ସହ ନଦୀ ଜଳ ମଧ୍ୟ ପ୍ରଦୂଷିତ ହେବାର ଆଶଙ୍କା ରହିଛି । ଏହି ପଦାର୍ଥ ପଡିଥିବା ସ୍ଥାନରେ ଜନ ସ୍ଵାସ୍ଥ୍ୟ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ପହଞ୍ଚି ବ୍ଲିଟିଂ ପାଉଡର ସିଞ୍ଚନ କରିଛନ୍ତି । ଏହାର ପ୍ରଭାବ ହ୍ରାସ କରିବାକୁ ଅନେକ ପଦକ୍ଷେପ ନିଆଯାଉଛି ।
ଗୁରୁବାର ପିଏଚଡି ପାଣିରେ କେମିକାଲ ଗନ୍ଧ ବାହାରିବା ପରଠାରୁ ସହରରେ ଜଳଯୋଗାଣ ବନ୍ଦ ରହିଛି । ସେ ସମୟରୁ କେମିକାଲ ଗନ୍ଧର ଉତ୍ସ ଖୋଜିବାରେ ବ୍ୟସ୍ତ ଥିବା ଜନ ସ୍ୱାସ୍ଥ୍ୟ ବିଭାଗ ହାତରେ ଶୁକ୍ରବାର ସଫଳତା ଲାଗିଥିଲା । କିଏ କାହିଁକି କେଉଁ ଉଦ୍ଦେଶ୍ୟ ରଖି ରାସାୟନିକ ପଦାର୍ଥ ଜଳ ଉତ୍ସ ନିକଟରେ ପକାଇଛି ତାହା ଜଣା ପଡିନାହିଁ । ବିଭାଗ ଏହାକୁ ଗୁରୁତ୍ଵର ସହ ନେଇ ଏ ଦିଗରେ ତଦନ୍ତ ଚଳାଇ ଥିବା ଜଣା ପଡିଛି ।