ଛେଳି ଚୋରି କରି ପଳାଉଥିଲେ, ମାଡିବସିଲେ ସ୍ଥାନୀୟ ଲୋକେ: ବାଇକ ଭାଙ୍ଗିଲେ, ଦେଲେ ଉତ୍ତମ ମଧ୍ୟମ
16/08/2022 at 2:32 PM

ନୀଳଗିରି ୧୬/୦୮: ବାଲେଶ୍ଵର ଜିଲ୍ଲ ଗୋପୀନାଥପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବାଇକରେ ଛେଳି ଚୋରି କରି ପଳାଉଥିବା ବେଳେ ଚୋରଙ୍କୁ କାବୁକଲେ ଅଞ୍ଚଳବାସୀ । ଆଜି ସକାଳୁ ନୀଳଗିରି ଥାନା ଧୋବଶିଳା ପଂଚାୟତ ଅଧିନ କଣ୍ଟାବଣିଆ ଗ୍ରାମରୁ ଏକ ବାଇକରେ ଛେଳି ଚୋରି କରି ଦୁଇଯୁବକ ଦ୍ରୁତଗତିରେ ନୀଳଗିରି ଆଡକୁ ଆସିଥିଲେ । ଛେଳି ମାଲିକ ରମାକାନ୍ତ ବେହେରା ଓ କିଛି ଅଞ୍ଚଳବାସୀ ତାଙ୍କର ପିଛା କାରିଥିଲେ ।
ଡାହାଣୀମରା ଲେବୁଲ କ୍ରସିଂ ପାଖରେ ଚୋରମାନେ ଭାରସାମ୍ୟ ହରାଇ କଚାଡି ପଡ଼ିଥିଲେ । ଜଣେ ଫେରାର ହୋଇଥିବା ବେଳେ ଆଉ ଜଣଙ୍କୁ କାବୁ କରିଥିଲେ ଅଞ୍ଚଳବାସୀ । ଯୁବକ ଜଣକ ଈଶ୍ୱରପୁର ଅଞ୍ଚଳର ମରେଇ ଗାଁର ପ୍ରଦୀପ ମହାଳିକ । ତାଙ୍କ ପେଟରେ ଆଘାତ ଲାଗି ରକ୍ତାକ୍ତ ହୋଇଥିବା ବେଳେ ଅଞ୍ଚଳବାସୀ ଅତି ଅମାନୁଷିକ ଭାବେ ମାଡ଼ ମାରିଛନ୍ତି ।
ବାଇକଟିକୁ ଭାଙ୍ଗି ଚୁରମାର କରିଦେଇଥିବା ବେଳେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା । ପରେ ନୀଳଗିରି ପୋଲିସ ପହଁଚି ଘଟଣାର ତଦନ୍ତ କରିବା ସହ ବାଇକଟିକୁ ଜବତ କରି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ହସ୍ପିଟାଲ ନେଇଛନ୍ତି । ଫେରାର ହୋଇଥିବା ଯୁବକ ଜଣକ ବିଦୁ ଅଞ୍ଚଳର ନରହରି ଓରଫ ପପୁ ବୋଲି ଜଣାପଡିଛି ।