ନାମିବ୍ୟାରୁ ଆସିଥିବା ଚିତାଙ୍କୁ ମିଳିଲା ନୂଆ ନାଁ, ମନ୍ କି ବାତ୍‌ରେ ନାମକରଣ ପାଇଁ ଲୋକଙ୍କୁ ପରାମର୍ଶ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 21, 2023 IST

ନୂଆଦିଲ୍ଲୀ, ୨୧/୦୪: ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନପି)କୁ ଆସିଥିବା ଚିତାଙ୍କ ନାମକରଣ କରାଯାଇଛି। ଚିତାଙ୍କୁ ଲୋକପ୍ରିୟ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଜୀବଙ୍କ ପ୍ରତି ସମ୍ବେଦନଶୀଳତାର ଭାବନା ଉତ୍ପନ୍ନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ସମୟରେ ଏମାନଙ୍କ ନାମକରଣ ପାଇଁ ଲୋକଙ୍କୁ ପରାମର୍ଶ ଦେବାକୁ କହିଥିଲେ।

ନାମିବ୍ୟାରୁ ଆସିଥିବା ମାଈ ଚିତା ଅଶାର ନାମ ଆଶା, ସବାନାର ନାମ ନଭା, ତିବଲିସୀର ନାମ ଧାତ୍ରୀ ଏବଂ ଚାରି ଶାବକଙ୍କୁ ଜନ୍ମ ଦେଇଥିବା ସିୟାୟାରର ନାମା ଜ୍ବାଲା ରଖାଯାଇଛି। ସେହିପରି ଅଣ୍ଡିରା ଚିତା ଓବାନର ନାମ ପବନ, ଏଲ୍ଟନର ନାମ ଗୌରବ ଏବଂ ଫ୍ରେଡୀର ନାମ ଶୌର୍ଯ୍ୟ ରଖାଯାଇଛି।

ଏହିଭଳି ଆଫ୍ରିକାର ଫିଣ୍ଡା ଗେମ ରିଜର୍ଭରୁ ଅଣାଯାଇଥିବା ବୟସ୍କ ମାଈ ଚିତାର ନାମ ଦକ୍ଷା, ବୟସ୍କ ନର ମଧ୍ୟରୁ ଗୋଟିଏର ନାମ ବାୟୁ ଏବଂ ଦ୍ବିତୀୟଟିର ନାମ ଅଗ୍ନି ରଖାଯାଇଛି। ମାପେସୁ ରିଜର୍ଭରୁ ଅଣାଯାଇଥିବା ମାଈ ଚିତାର ନାମ ନୀର୍ଭା ନାମ ଦିଆଯାଇଛି। କାଲାହାରୀର ସ୍ବାଲୁ ରିଜର୍ଭରୁ ଅଣାଯାଇଥିବା ବୟସ୍କ ମାଈ ଚିତାକୁ ଗାମିନୀ, ଅଳ୍ପ ବୟସ୍କକୁ ବୀରା, ବୟସ୍କ ଅଣ୍ଡିରାକୁ ତେଜସ, ଅଳ୍ପ ବୟସ୍କ ଅଣ୍ଡିରାକୁ ସୂରଜ ନାମ ଦିଆଯାଇଛି।

ଓ୍ବାଟବର୍ଗର ରିଜର୍ଭରୁ ଅଣାଯାଇଥିବା ବୟସ୍କ ମାଈ ଚିତାର ନାମ ଧୀରା, ବୟସ୍କ ଅଣ୍ଡିରା ଚିତା ମଧ୍ୟରୁ ଗୋଟିଏର ନାମ ଉଦୟ ଏବଂ ଅନ୍ୟଟିର ନାମ ପ୍ରଭାସ ଏବଂ ତୃତୀୟର ନାମ ପାବକ ରଖାଯାଇଛି।

କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ନାଁ ରଖିବା ପାଇଁ ହୋଇଥିବା ପ୍ରତିଯୋଗିତାରେ ୧୧,୫୬୫ ଲୋକ ଭାଗ ନେଇଥିଲେ। ଏକ କମିଟି ନାଁ ବାଛିଥିଲେ। ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ମଧ୍ୟ ପ୍ରଦେଶ କୁନୋ ରଷ୍ଟ୍ରୀୟ ଉଦ୍ୟାନ ଅଣାଯାଇଥିବା ୧୨ ଚିତାଙ୍କୁ ଦୁଇ ମାସ ପର୍ଯ୍ୟନ୍ତ କ୍ବାରେଣ୍ଟିନ୍‌ ଏନକ୍ଲୋଜରରେ ରଖାଯାଇଥିଲା। ଏହାପରେ ୧୭ରୁ ୧୯ ଏପ୍ରିଲ୍‌ରେ କୁନୋରେ ଛଡ଼ା ଯାଇଥିଲା। ଦକ୍ଷିଣ ଆଫ୍ରିକାରୁ ୧୮ ଫେବ୍ରୁଆରୀରେ ୭ ଅଣ୍ଡିରା ଏବଂ ୫ ମାଇ ଚିତାଙ୍କୁ ଅଣାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.