ନୂଆଦିଲ୍ଳୀ, ୨୭/୦୧: ଅସୁସ୍ଥ ଅଛି ନାମିବ୍ୟାରୁ ଆସିଥିବା ଚିତା ଶାଶା। ଗତ ବର୍ଷ ନାମିବ୍ୟାରୁ କୁନୋ ନାସନାଲ ପାର୍କ ଅଣାଯାଇଥିବା ୮ ଚିତା ମଧ୍ୟରୁ ଗୋଟିଏର ସ୍ବାସ୍ଥ୍ୟ ଖରାପ ହୋଇପଡ଼ିଛି। ଯାହା ଏବେ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି। ଚିତାର ଚିକିତ୍ସା ପାଇଁ ଭୋପାଳରୁ ଏକ ଡାକ୍ତରୀ ଟିମ୍ ପହଞ୍ଚିଛି। ଡାକ୍ତର ଚିତା ଶାଶାର ଚିକିତ୍ସା ଆରମ୍ଭ କରିଛନ୍ତି। ତଥା ତାକୁ ଏନକ୍ଲୋଜରରେ ନିରୀକ୍ଷଣରେ ରଖାଯାଇଛି। ପ୍ରଶାସନର ସୂଚନା ଅନୁଯାୟୀ ଶାଶାର କିଡନୀ ସଂକ୍ରମଣ ହୋଇଛି। ଏହା ସହ ଡିହାଇଡ୍ରେସନର ମଧ୍ୟ ସମସ୍ୟା ରହିଛି। କୁହାଯାଉଛି ଯେ ସେ ଅନେକ ଦିନରୁ ଖାଲିପେଟରେ ରହିଥିଲା। ହୁଏତ ଏଥିପାଇଁ ଏହି ସମସ୍ୟା ଉପୁଜିଛି। ଏହା ସହ କୁନୋ ପରିଚାଳନା ଦଳ ନାମିବ୍ୟାର ବିଶେଷଜ୍ଞଙ୍କ ଯୋଗାଯୋଗରେ ଅଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ନାମିବ୍ୟାରୁ ଆଠ ଚିତା ଅଣାଯାଇଥିଲା। ଏଥିରେ ତିନି ପୁରୁଷ ଏବଂ ପାଞ୍ଚ ମହିଳା ଚିତା ରହିଥିଲେ। ସମସ୍ତଙ୍କୁ ୧୭ ଡିସେମ୍ବରରେ କୁନୋ ନାସନାଲ ପାର୍କରେ ଛଡ଼ାଯାଇଥିଲା। ପ୍ରାୟ ଦୁଇ ମାସ ପରେ ସେମାନଙ୍କୁ ବଡ଼ ଜଙ୍ଗଲରେ ଛଡ଼ା ଯାଇଥିଲା। ତେବେ ଏହାରି ମଧ୍ୟରେ ଜାନୁଆରୀ ୨୩ ତାରିଖରେ ଚିତା ଶାଶାର ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଯାଇଥିଲା। ଏହା ପରେ ତାକୁ ଟ୍ରାଙ୍କୁଲାଇଜ୍ କରି କ୍ବାରେଣ୍ଟିନ୍କୁ ପଠାଯାଇଥିଲା। ଏହା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକତ୍ସା ପାଇଁ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା।
କିଡନୀରେ ସଂକ୍ରମଣ:
ବୁଧବାର ଠାରୁ ହିଁ ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିଛି। ଏହି ସମୟରେ ଶାଶାର କିଡନୀରେ ସମସ୍ୟା ହୋଇଥିବା ଜଣାପଡ଼ିଥିଲା। କୁନୋ ଡିଏଫଓ ପ୍ରକାଶ ବର୍ମା କହିଛନ୍ତି ଯେ ସ୍ବାସ୍ଥ୍ୟ ପରୀକ୍ଷାରେ ଏହା ଜଣାପଡ଼ିଥିଲା ଯେ ତା’ର କିଡନୀରେ ସମସ୍ୟା ରହିଛି। ଏହା ସହ ସେ ଅନେକ ଦିନରୁ କିଛି ଖାଇନଥିବା ଜଣାପଡ଼ିଥିଲା। ତାକୁ ନିରୀକ୍ଷଣରେ ରଖାଯାଇଛି। ତେବେ ଦୁଇ ଦିନର ଚିକିତ୍ସାରେ ଶାଶାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଜେ. ଏସ ଚୌହାନ।
ଦକ୍ଷିଣ ଆଫ୍ରିକାର ଆସୁଛନ୍ତି ଆଉ ୧୨ ଚିତା:
ଚିତା ଶିଶାର ସ୍ବାସ୍ଥ୍ୟ ଏପରି ସମୟରେ ଖରାପ ହୋଇଛି, ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ ଚିତା ଆସିବାକୁ ପ୍ରସ୍ତୁତ ଅଛନ୍ତି। ଦକ୍ଷିଣ ଆଫ୍ରିକା ସରକାର ଚିତା ସ୍ଥାନାନ୍ତର ପ୍ରୋଜେକ୍ଟକୁ ସବୁଜ ସଙ୍କେତ ଦେଇଛନ୍ତି। ଶାଶାର ସ୍ବାସ୍ଥ୍ୟ ଖରାପ ହେବାଦ୍ବାରା ବନ ବିଭାଗ ଟିମ୍ ଚିନ୍ତାରେ ଅଛନ୍ତି। ଭୋପାଳରୁ ଆସିଥିବା ଡାକ୍ତରୀ ଦଳ ଲଗାତାର ତା’ ଉପରେ ନଜର ରଖିଛନ୍ତି। ବନ ବିଭାଗ ଟିମ୍କୁ ଆଶା ରହିଛି ଶାଶାର ସ୍ବାସ୍ଥ୍ୟ ଠିକ୍ ହୋଇଯିବ। ଅନ୍ୟ ଚିତା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।